ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡାଇରେକ୍ଟର୍ସରୁ ଇସ୍ତଫା ଦେଲେ ବିଲ ଗେଟ୍ସ

ୱାଶିଂଟନ: ବିଲ ଗେଟ୍ସ କମ୍ପାନୀର ବୋର୍ଡ ଅଫ ଡାଇରେକ୍ଟର୍ସରୁ ଇସ୍ତଫା ଦେଇଛନ୍ତି । କଂପାନୀର କହିବା ଅନୁସାରେ ସେ ନିଜର ଅଧିକାଂଶ ସମୟକୁ ସାଧାରଣ ଲୋକଙ୍କ ମଙ୍ଗଳ କାମରେ ନିୟୋଜିତ କରିବେ । ଏକ ବୟାନରେ କୁହାଯାଇଛି ଯେ, ଗେଟ୍ସ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଅଧିକ କାମ କରିବାକୁ ଚାହୁଁଛନ୍ତି । ଏଥି ପାଇଁ ସେ ଏହି ଦାୟିତ୍ୱରେୁ ଦୂରରେ ରହିବାକୁ ନିଷ୍ପତି ନେଇଛନ୍ତି । କିନ୍ତୁ ସେ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ସତ୍ୟ ନଡେଲାଙ୍କ ସହିତ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ଭାବେ କାମ କରିବେ ।

ମାଇକ୍ରୋସଫ୍ଟ କହିଛି ଯେ, କମ୍ପାନୀର ସହ-ପ୍ରତିଷ୍ଠାତା ଏବଂ ପ୍ରଯୁକ୍ତିବିଦ୍ୟା ପରାମର୍ଶଦାତା ବିଲ ଗେଟ୍ସ ଏବେ ଅଧିକ ସମୟ ଶିକ୍ଷା ଓ ସ୍ୱାସ୍ଥ୍ୟ ଦିଗରେ କାମ କରିବେ । ସେ ଜଳବାୟୁ ପରିବର୍ତନ ଦିଗରେ ମଧ୍ୟ କାମ କରିବାକୁ ଚାହୁଁଛନ୍ତି । ଏଥି ପାଇଁ କମ୍ପାନୀର ଏକ ଗୁରୁତ୍ୱପୂର୍ଣ୍ଣ ପଦରୁ ଇସ୍ତଫା ଦେଇଛନ୍ତି । ଗେଟ୍ସ ୧୯୭୫ରେ ଅଲେନଙ୍କ ସହ ମିଶି ଏହି କମ୍ପାନୀ ଗଢ଼ିଥିଲେ ଏବଂ ସେ ୨୦୦୦ ମସିହା ପର୍ଯ୍ୟନ୍ତ ସିଇଓ ଥିଲେ ।

ଗେଟ୍ସଙ୍କ ଇସ୍ତଫା ପରେ କମ୍ପାନୀରେ ଆଉ ୧୨ ଜଣ ସଦସ୍ୟ ରହିଲେ । ଏଥିରେ ସତ୍ୟ ନଡେଲା ମଧ୍ୟ ସାମିଲ । ନଡେଲା କହିଛନ୍ତି, ଏକାଠି ହୋଇ କାମ କରିବା ଗୌରବର କଥା । ଲୋକଙ୍କ ସଫ୍ଟୱେର ଜନିତ ସମସ୍ୟାର ସମାଧାନ ପାଇଁ ଗେଟ୍ସ ଏହି କମ୍ପାନୀର ପ୍ରତିଷ୍ଠା କରିଥିଲେ । ସେ କହିଛନ୍ତି, ମାଇକ୍ରୋସଫ୍ଟ ତାଙ୍କର ଲକ୍ଷ୍ୟକୁ ପୂରା କରିବା ଦିଗରେ କାମ ଜାରି ରଖିବ ।