ସତ୍ୟ ନାଡେଲାଙ୍କୁ ଫର୍ଚ୍ୟୁନ୍‌ ବିଜିନେସ୍‌ ପର୍ସନ୍‌ ଅଫ୍‌ ଦି ଇୟର ୨୦୧୯ ସମ୍ମାନ

ନ୍ୟୁୟର୍କ: ମାଇକ୍ରୋସଫ୍ଟ କମ୍ପାନୀର ଭାରତ ଜନ୍ମିତ ମୁଖ୍ୟ ସତ୍ୟ ନାଡେଲା ଫର୍ଚ୍ୟୁନ୍‌ ବିଜିନେସ୍‌ ପର୍ସନ୍‌ ଅଫ୍‌ ଦି ଇୟର ୨୦୧୯ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଏହି ତାଲିକାରେ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ଏବଂ ଆରିଷ୍ଟା ମୁଖ୍ୟ ଜୟଶ୍ରୀ ଉଲ୍ଲାଲ ମଧ୍ୟ ଅଛନ୍ତି।

ଫର୍ଚ୍ୟୁନ୍‌ ବିଜିନେସ୍‌ ପର୍ସନ୍‌ ଅଫ୍‌ ଦି ଇୟର ୨୦୧୯ ତାଲିକାରେ ୨୦ ଜଣ ପ୍ରମୁଖ ବ୍ୟବସାୟିକ ମୁଖ୍ୟ ଅଛନ୍ତି। ଏମାନେ ବିଭିନ୍ନ ବ୍ୟବସାୟିକ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ବିଭିନ୍ନ ଘାତ ପ୍ରତିଘାତର ମୁକାବିଲା କରିବା ସହ ବିଭିନ୍ନ ଅଭିନବ ସମାଧାନ ବାହାର କରିପାରିଛନ୍ତି।

୨ ୦୧୪ ମସିହା ପରଠାରୁ ମାଇକ୍ରୋସଫ୍ଟର ନେତୃତ୍ୱ ନେଇ ଆସୁଥିବା ନାଡେଲା ଚଳିତ ବର୍ଷ ଏହାର ଶୀର୍ଷରେ ଅଛନ୍ତି। ଅନ୍ୟପକ୍ଷରେ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା ଏବଂ ଆରିଷ୍ଟା ମୁଖ୍ୟ ଜୟଶ୍ରୀ ଉଲ୍ଲାଲ ଯଥାକ୍ରମେ ଅଷ୍ଟମ ଏବଂ ଅଷ୍ଟାଦଶ ସ୍ଥାନରେ ଅଛନ୍ତି।

ଫର୍ଚ୍ୟୁନ୍‌ ପକ୍ଷରୁ କୁହାଯାଇଛି, ନାଡେଲା ଜଣେ କମ୍ପ୍ୟୁଟର ବିଜ୍ଞାନୀ। ସେ ନା ବିଲ୍‌ ଗେଟ୍ସଙ୍କ ପରି ଜଣେ ପ୍ରତିଷ୍ଠାତା ନା ତାଙ୍କର ପୂର୍ବତନ ମୁଖ୍ୟ ଷ୍ଟିଭ୍‌ ବାଲମେରଙ୍କ ପରି ସେଲ୍ସ ବିଶେଷଜ୍ଞ। କିନ୍ତୁ ୨୦୧୪ ମସିହାରେ ସମସ୍ତଙ୍କୁ ଚମକାଇ ତାଙ୍କୁ ନେତୃତ୍ୱର ଭାର ମିଳିଥିଲା।