ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଯୋଜନାକୁ ଅଗ୍ରାଧିକାର ଦେବା ସହିତ ସହରାଞ୍ଚଳରେ ବାହାରୁଥିବା କଠିନ ବର୍ଜବସ୍ତୁ ପରିଚାଳନା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‍ସିସି) ପ୍ରତିଷ୍ଠା ହେଉଛି । ତାମିଲନାଡୁ ଢାଞ୍ଚାରେ ପ୍ରତିଷ୍ଠା ହେଉଥିବା ଏହି ଖତ ତିଆରି କେନ୍ଦ୍ର ସହରାଞ୍ଚଳରେ ବର୍ଜ୍ୟ ପରିଚାଳନାରେ ବେଶ୍‍ ସହାୟକ ହେବ । ଏହି ବ୍ୟବସ୍ଥା ଅତ୍ୟନ୍ତ ଶସ୍ତା, ବ୍ୟବହାର ଉପଯୋଗୀ ହୋଇଥିବାରୁ ପୌରସଂସ୍ଥା ଗୁଡିକୁ ଏହାକୁ ଆପଣେଇବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ପୌରାଞ୍ଚଳ ଗୁଡିକୁ ଆବର୍ଜନାମୁକ୍ତ କରିବା ନିମନ୍ତେ ୨୪୨ଟି ଏମ୍‍ସିସି ପ୍ରତିଷ୍ଠାର ଶୁଭ ଦେଇଛନ୍ତି । ଇତି ମଧ୍ୟରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପୌରାଞ୍ଚଳରେ ଏମ୍‍ସିସି ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍କରେ ନିୟମିତ ସମୀକ୍ଷା କରିବା ସହିତ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

ଏମ୍‍ସିସି ନିର୍ମାଣ କାର୍ଯ୍ୟ ତ୍ୱରାନିତ ସହିତ କାର୍ଯ୍ୟକ୍ଷମ କରିବାପାଇଁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଓ ସ୍ୱଚ୍ଛ ଭାରତ ମିଶନ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ତାମିଲନାଡୁ ଗସ୍ତ କରିଥିବା ଏକ ଉଚ୍ଚ ପ୍ରତିନିଧିଦଳ ସେଠାରେ ଏମ୍‍ସିସି ସଂକ୍ରାନ୍ତରେ ଅନୁଧ୍ୟାନ କରିବା ସହିତ ଓଡିଶାରେ ଅନୁରୂପ ଭାବେ ବର୍ଜ୍ୟ ପରିଚାଳନା ପାଇଁ ମତ ଦେଇଥିଲେ । ଏହାପରେ ରାଜ୍ୟରେ ଅନୁଷ୍ଠିତ ଏକ କର୍ମଶାଳାରେ ସମସ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା, ମ୍ୟୁନିସିପାଲ କମିଶନର, ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଏମ୍‍ସିସି ସଂକ୍ରାନ୍ତରେ ଅବଗତ କରାଯାଇଥିଲା ।

ଅନୁରୂପ ଭବେ ପୌରସଂସ୍ଥା ଗୁଡିକରେ ସ୍ୱଚ୍ଛ ଭାରତ ମିଶନ ସହିତ ଜଡିତ ୨୮,୬୦୬ ଜଣ କର୍ମଚାରୀଙ୍କୁ ଏ ସଂକ୍ରାନ୍ତରେ ତାଲିମ ଦିଆଯାଇଛି । ସମସ୍ତ ପୌରାଞ୍ଚଳରେ ଏମ୍‍ସିସି ପ୍ରତିଷ୍ଠା ଲାଗି ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏଥିରେ ଏମ୍‍ସିସି ପ୍ରତିଷ୍ଠା କ୍ଷେତ୍ରରେ କିଭଳି ସମାନତା ରହିବ ସେଥିଲାଗି ମାନବସମ୍ବଳ, ଆବଶ୍ୟକ ଯନ୍ତ୍ରପାତି, ଗାଡି ଯାତାୟତ ରୁଟ୍‍ମ୍ୟାପ, ନମୂନା ସର୍ବେକ୍ଷଣ ସଂକ୍ରାନ୍ତରେ ଉଲ୍ଲେଖ ଅଛି । ଦୈନିକ ଏକ ରୁ ୫ଟନ୍‍ ବର୍ଜ୍ୟ ପରିଚାଳନା କ୍ଷମତା ଥିବା ଏମ୍‍ସିସି ଗୁଡିକ ବିଭିନ୍ନ ପୌରସଂସ୍ଥାରେ ପ୍ରତିଷ୍ଠା ହେବ । ଯେଉଁସ୍ଥାରେ ଲୋକେ ରସାୟନିକ ସାର ବ୍ୟବହାର କରୁଥିଲେ ସେଠାରେ ଏମ୍‍ସିସିରୁ ବାହାରିବାକୁ ଥିବା ଖତ ବ୍ୟବହାର ହେବ । ଇତି ମଧ୍ୟରେ ତାମିଲନାଡଭରେ ଏମ୍‍ସିସି ମଡେଲର ଜନକ କୁହାଯାଉଥିବା ଡକ୍ଟର ମୁରୁଗେସାନ ପାରାଦୀପ୍‍ ଓ କୋଟପାଡ ପୌରପାଳିକା ପରିଦର୍ଶନ କରି ସେଠାରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ପାରାଦୀପ୍‍ ପୌରପାଳିକା କାର୍ଯ୍ୟକାରୀ କରୁଥିବା ‘ମୋ ଖତ’ ଯୋଜନକୁ ପ୍ରଶଂସା କରିବା ସହିତ ଏଥିପାଇଁ ନିୟୋଜିତ ସ୍ୱଚ୍ଛ ସାଥିମାନଙ୍କ ସହିତ ଆଲୋଚନା କରିଥିଲେ । ଏହାପରେ ଡକ୍ଟର ମୁରୁଗାସାନ ନଗର ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଏମ୍‍ସିସି ସଂକ୍ରାନ୍ତରେ ଆଲୋଚନା କରିଥିବା ଜଣାଯାଇଛି । ଏମ୍‍ସିସି କାର୍ଯ୍ୟକାରୀ ସହିତ ରାଜ୍ୟ ସହରାଞ୍ଚଳ ଏବେ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଉପରେ ଅଧିକ ପ୍ରାଧାନ୍ୟ ଦେଉଛି ।