୩୭୦ ଉଚ୍ଛେଦ ପରେ ସବୁ ରାଜ୍ୟକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସମଗ୍ର ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଘୋଷଣା କରିବା ପରେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସତର୍କ ରହିବାକୁ କୁହାଯାଇଛି। ସମସ୍ତ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବମାନଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ପୁଲିସ୍‌ ଫୋର୍ସ ମୁତୟନ କରିବାକୁ ଏଥିରେ କୁହାଯାଇଛି। ଏଥିସହ ସୋଶାଲ ମିଡିଆ ଏବଂ ଗୁଜବ ପ୍ରଚାର କରୁଥିବା ମାଧ୍ୟମ ଉପରେ ମଧ୍ୟ ନଜର ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ କୁହାଯାଇଛି।