କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡଲାଇନ୍‌: ବିବାହରେ ୫୦ଜଣ ଓ ଅନ୍ତେଷ୍ଟିକ୍ରିୟାରେ ୨୦ଜଣରୁ ଅଧିକ ରହିବେ ନାହିଁ

ନୂଆଦିଲ୍ଲୀ: ବିବାହ ଓ ଅନ୍ତେଷ୍ଟିକ୍ରିୟା ଆଦି ପାରିବାରିକ କାର୍ଯ୍ୟ ପାଇଁ ଗାଇଡଲାଇନ ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଗୋଟିଏ ବିବାହ ସମାରୋହରେ ଅତି ବେଶୀରେ ୫୦ ଜଣ ଓ ଏକ ଅନ୍ତେଷ୍ଟି କ୍ରିୟାରେ ୨୦ ଜଣରୁ ଅଧିକ ଲୋକ ରହିପାରିବେ ନାହିଁ । କେନ୍ଦ୍ର ଗୃହମନ୍ତ୍ରାଳୟର ଯୁଗ୍ମ ସଚିବ ପୁଣ୍ୟ ସଲିଳା ଶ୍ରୀବାସ୍ତବ କହିଛନ୍ତି ଯେ ବିବାହ ସମାରୋହରେ ସର୍ବାଧିକ ୫୦ ଜଣ ଲୋକ ଯୋଗ ଦେଇପାରିବେ । ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୨୦ ଜଣ ଲୋକ ଯୋଗ ଦେଇପାରିବେ । ତେବେ ଏସବୁ କାର୍ଯ୍ୟବେଳେ ସାମାଜିକ ଦୂରତ୍ୱ ରକ୍ଷା କରାଯିବା ଆବଶ୍ୟକ । ଅନ୍ୟପକ୍ଷରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ଏହା ସହିତ ସର୍ବସାଧାରଣ ସ୍ଥାନରେ ମଦ୍ୟ,ଗୁଟଖା ଓ ଅନ୍ୟାନ୍ୟ ମାଦକଦ୍ରବ୍ୟ ସେବନକୁ ନିଷିଦ୍ଧ କରାଯାଇଛି ।

ସେହିପରି ଯେଉଁ ସବୁଅଫିସ ଖୋଲିଛି, ସେଠାରେ ଥର୍ମାଲ ସ୍କାନର ମାଧ୍ୟମରେ ସବୁ କର୍ମଚାରୀଙ୍କ ସ୍କାନିଂ ହେବା ଆବଶ୍ୟକ । ଅଫିସରେ ଯେପରି ଯଥେଷ୍ଟ ସଂଖ୍ୟାକ ମାସ୍କ ଓ ସାନିଟାଇଜର ଆଦି ରହିବ ତାହା ଅଫିସର ମୁଖ୍ୟ ନିଶ୍ଚିତ କରିବେ । ଅଫିସରେ କାମ କରୁଥିବା କର୍ମଚାରୀମାନେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି କାମ କରିବେ । କର୍ମଚାରୀମାନେ ଆରୋଗ୍ୟ ସେତୁ ଆପରେ ନିଜକୁ ପଂଜୀକୃତ କରିବେ ବୋଲି ସେ କହିଛନ୍ତି । ସେ ଆହୁର ମଧ୍ୟ କହିଛନ୍ତି ଯେ ଭାରତୀୟ ରେଳ ଏପର୍ଯ୍ୟନ୍ତ ୬୨ଟି ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇଛି ଓ ଏଥିରେ ମୋଟ ୭୦ ହଜାର ଲୋକଙ୍କୁ ପରିବହନ କରାଯାଇଛି ।