ଘୁଞ୍ଚିବନି ମାଟ୍ରିକ୍ ଓ ଯୁକ୍ତ ୨ ପରୀକ୍ଷା : ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର  : ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ତାରିଖ ଘଞ୍ଚିବ ନାହିଁ । ଶୁକ୍ରବାର ସ୍କୁଲ୍ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ସ୍ପଷ୍ଟ କରି ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ପୂର୍ବରୁ ମାଟ୍ରିକ ଓ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛତ୍ରୀଙ୍କ ପାଇଁ ଧାର୍ଯ୍ୟ ହୋଇଥିବା ତାରିଖରେ ପରୀକ୍ଷା କରାଯିବ । ଏହି ଦୁଇ ଶ୍ରେଣୀର ପରୀକ୍ଷା ହେବା ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ପରୀକ୍ଷା ପାଇଁ ଅଧିକ କେନ୍ଦ୍ର କରାଯିବ ବୋଲି ସେ କହିଛନ୍ତି । ସେହିପରି ମନ୍ତ୍ରୀ କହିଛନ୍ତି, ନବମ ଶ୍ରେଣୀ ପରୀକ୍ଷା ହେବ କି ନାହିଁ କିଛି ସ୍ଥିର ହୋଇନି । ଯେହେତୁ ନବମ କ୍ଲାସ ବନ୍ଦ ରହିଛି, ପରୀକ୍ଷା କଥା ସ୍ଥିର ହୋଇନି ।
କରୋନା ମହାମାରୀ ସଂକ୍ରମଣ ପୁଣିଥରେ ବ୍ୟାପୁଥିବାରୁ ରାଜ୍ୟର ସମସ୍ତ ସ୍କୁଲ୍‌ରେ ଘୁରୁବାର ଠାରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢ଼ା ବନ୍ଦ ରହିଛି । ଏହି ନିର୍ଦ୍ଦେଶନାମା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ଦୁଇ ଶ୍ରେଣୀର ପିଲାମାନେ ଯଦି ହଷ୍ଟେଲ୍ କିମ୍ବା ଆବାସିକ ସ୍କୁଲରେ ରହୁଥିବେ, ତାହାହେଲେ ସେମାନେ ତୁରନ୍ତ ଘରକୁ ଫେରିଯିବାକୁ ଏପ୍ରିଲ ୭ ତାରିଖରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ କୁହାଯାଇଥିଲା । ତେବେ ସ୍କୁଲ କତ୍ତୃପକ୍ଷ ଚାହିଁଲେ ଅନଲାଇନ୍ କ୍ଲାସ କରିପାରିବେ । ଅନ୍ୟପକ୍ଷରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ପୂର୍ବଭଳି ଏପ୍ରିଲ ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି କୁହାଯାଇଥିଲା ।
ସୂଚନାଯୋଗ୍ୟ, ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ମେ’ ୩ରୁ ଆରମ୍ଭ ହେବ । ଏହା ୧୫ ତାରିଖ ଯାଏ ଚାଲିବ । ପରୀକ୍ଷା ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ହେବ । ମେ’ ୩ ତାରିଖରେ ମାତୃଭାଷା ଓଡ଼ିଆ ପରୀକ୍ଷା ହେବ । ୫ ତାରିଖରେ ଦ୍ୱିତୀୟ ଭାଷା ଇଂଲିଶ, ୭ରେ ତୃତୀୟ ଭାଷା ହିନ୍ଦୀ, ୮ରେ ତୃତୀୟ ଭାଷା ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ ଓ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ସେହିପରି ମେ’ ୧୮ ତାରିଖରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ଏହା ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ତାରିଖ ମଧ୍ୟରେ କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ହେବ । ତା’ ସହିତ ମେ’ ୨୮ରୁ ଧନ୍ଦାମୂଳକ ପରୀକ୍ଷା ଆରମ୍ଭ ହେବ ।