ଚାଷୀ ଓଡ଼ିଶାର ବିକାଶର ସାରଥୀ: ମୁଖ୍ୟମନ୍ତ୍ରୀ

କୃଷି ଓଡ଼ିଶା ୨୦୨୦ ଉଦଘାଟିତ

ଭୁବନେଶ୍ୱର: ଚାଷୀ ଓଡ଼ିଶାର ବିକାଶର ସାରଥୀ । ଚାଷୀର ନିଷ୍ଠା ଓ ପରିଶ୍ରମ ଯୋଗୁ ଓଡ଼ିଶାର ସମ୍ମାନି ବଢ଼ିଛି ବୋଲି କୃଷି ଓଡ଼ିଶା ୨୦୨୦ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀ ହେଉଛି ଦେଶର ଶକ୍ତି ଓ ଅତଁନୀତିର ଶକ୍ତି । ଚାଷୀର ଉନ୍ନତି ହିଁ ଦେଶର ଗୌରବ ଓ ସ୍ୱାଭିମାନ ବୃଦ୍ଧି କରିଥାଏ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଂଚୁ । ନୂଆ ନୂଆ ବୈଷୟିକ କୌଶଳ ପ୍ରୟୋଗ କରି କୃଷି କ୍ଷେତ୍ରରେ ଆଗୁଆ ରହୁ । ଚାଷୀ ପରିବାର ସବୁବେଳେ ଆନନ୍ଦର ରହୁ । କୃଷିକୁ ଏକ ଲାଭଜନକ ବୃତି କରିବା ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ କୃଷି କାର୍ଯ୍ୟକ୍ରମର ସୁଯୋଗ ନେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ତାଙ୍କ ସରକାରର ପ୍ରତିବଦ୍ଧତା ଘୋଷଣା କରିଥିଲେ ।

ଏହି ସମାରୋହରେ ଉଦବୋଧନ ଦେଇ କୃଷି ଶ୍ରୀ ଅରୁଣ ସାହୁ କୃଷି କ୍ଷେତ୍ରରେ ବିଭିନ୍ନ ସଫଳତା ଉପରେ ଆଲୋକପାତ କରିବା ସହିତ ଚାଷୀ ଭାଇମାନଙ୍କୁ ଏହାର ଶ୍ରେୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ର ସରକାରଙ୍କ ସାର ବିଭାଗର ସଚିବ ଶ୍ରୀ ଛବିନ୍ଦ୍ର ରାଉଳ, ଫିସିର ମହାସଚିବ ପ୍ରମୁଖ ଉଦବୋଧନ ଦେଇଥିଲେ । କୃଷି ବିଭାଗର ପ୍ରମୁଖ ସଚିବ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ସଚିବ ଶ୍ରୀ ପ୍ରଭୁପ୍ରସାଦ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ୧୦ଜଣ ଆଗୁଆ ଚାଷୀଙ୍କ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିବା ସହ ନବନିଯୁକ୍ତ ସହକାରୀ କୃଷି ଅଧିକାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ଏବଂ ନୂନତ କୃଷି ନୀତି “ସମୃଦ୍ଧି” ର ଶୁଭ ଉନ୍ମୋଚନ କରିଥିଲେ ।

କୃଷି ଓଡ଼ିଶା ୨୦୨୦ ଅବସରରେ ଆୟୋଜିତ ପ୍ରଦର୍ଶନୀରେ ୨୧୮ଟି ଷ୍ଟଲ ଖୋଲାଯାଇଛି ଏବଂ ଏଥିରେ ଦେଶର ଅନେକ ପ୍ରସିଦ୍ଧ କୃଷି ଉଦ୍ୟୋଗୀମାନେ ଅଂଶଗ୍ରହଣ କରିଛନ୍ତି ।