ସହରାଞ୍ଚଳ ମହିଳାଙ୍କ ରୋଜଗାର ବଢାଇବାପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କ ଗୁରୁତ୍ୱ

ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ

ଭୁବନେଶ୍ୱର: ସହରାଞ୍ଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଅଧିକ ସକ୍ରିୟ କରିବା ସହିତ ସେମାନଙ୍କ ରୋଜଗାର ବଢାଇବାପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଲୋକସେବା ଭବନରେ ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଆଇନ୍‍ ମନ୍ତ୍ରୀ ପ୍ରତାପ ଜେନା ଆଜି ଏ ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ ବିଜ୍ଞାନ ଓ କାରିଗରୀ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱରର ଦୁଇ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ଓରମାସର ମୁଖ୍ୟ ନିର୍ବାହୀ ରାଜେଶ ପ୍ରଭାକର ପାଟିଲ, ସୁଡାର ନିର୍ଦ୍ଦେଶକ ଶୁଭେନ୍ଦୁ କାନୁନ୍‍ଗୋ, ଅତିରିକ୍ତ ନିର୍ଦ୍ଦେଶକ ସାରଦା ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ସହରାଞ୍ଚଳରେ ଅଧିକରୁ ଅଧିକ ଆତ୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇ ମହିଳାଙ୍କ ଆୟ ବୃଦ୍ଧି ପାଇଁ ବ୍ୟବସ୍ଥା କରାଯିବା ଉପରେ ଆଲୋଚନା ହୋଇଛି । ମହିଳା ସ୍ୱୟଂ ସହାୟିକ ଗୋଷ୍ଠି ଗୁଡିକ ଯେଭଳି ନୂତନ ଜ୍ଞାନକୌଶଳ ବ୍ୟବହାର କରି ବଜାର ଭିତ୍ତିକ ସାମଗ୍ରୀ ଉତ୍ପାଦନ କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ଏ ନେଇ ନିର୍ଦ୍ଦିଷ୍ଟ ଭାବେ ଯୋଜନା ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି । ଓରମାସ୍‍ ସହିତ ସମନ୍ୱୟ ରକ୍ଷାକରି ଉତ୍ପାଦିତ ସାମଗ୍ରୀ ଲାଗି ବଜାର ସୃଷ୍ଟି କରିବାକୁ କୁହାଯାଇଛି । ଏଥିପାଇଁ ପୌର ପ୍ରଶାସକ, ସୁଡା ଓ ଓରମାସ ପକ୍ଷରୁ ମିଳିତ ଭାବେ ନିର୍ଦ୍ଧିଷ୍ଟ ଯୋଜନା ପ୍ରସ୍ତୁତ ଲାଗି ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ନୂଆ ନୂଆ ସାମଗ୍ରୀ ଉତ୍ପାଦନ ଲାଗି ମହିଳାମାନଙ୍କୁ ତାଲିମ ପ୍ରଦାନ ଉପରେ ବୈଠକରେ ମତପ୍ରକାଶ ପାଇଛି । କରୋନା ପରିପ୍ରେକ୍ଷୀରେ ମହିଳା ସ୍ୱୟଂ ସହାୟିକ ଗୋଷ୍ଠି ଗୁଡିକ ଯେଭଳି ସ୍ଥାନୀୟ ଆବଶ୍ୟକତା ମେଣ୍ଟାଇବା ଲାଗି ସାମଗ୍ରୀ ଉତ୍ପାଦନ କରିବେ ସେଥିପାଇଁ ବୈଷୟିକ ଜ୍ଞାନକୌଶଳ ଯୋଗାଇଦେବାକୁ ବୈଠକରେ ମତପ୍ରକାଶ ପାଇଛି ।