ଏମସିଏଲର ଦାଦାଗିରିର କାର୍ଯ୍ୟାନୁଷ୍ଠାନ ଦାବି କଲେ ବିଧାୟିକା

ସୁନ୍ଦରଗଡ : ଦୀର୍ଘ ୩୨ ବର୍ଷ ହେଲା ଏମସିଏଲ କୋଇଲା ଖଣି ପାଇଁ ତୁମୁଲିଆ ପଂଚାୟତ ଓ ପାଶ୍ୱର୍ବର୍ତୀ ଗ୍ରାମରେ ୬-ଏ ବା କଟକଣା ଲଗାଇଥିବାରୁ ସମ୍ପୃକ୍ତ ଗ୍ରାମବାସୀ ଅକଥନୀୟ ଦୁର୍ଦ୍ଦଶା ଭୋଗି ଚାଲିଛନ୍ତି । ବିଶେଷକରି ଅଂଚଳର ୧୪ଟି ଗ୍ରାମ ଏହି କଟକଣା ମଧ୍ୟରେ ଥିବାବେଳେ ସେଥିମଧ୍ୟରୁ ୧୦ଟି ଗ୍ରାମର ବିସ୍ଥାପିତ ଚାକିରି ଓ ପୁନର୍ବାସ , ଥଇଥାନ ନୀତିରେ କ୍ଷତିପୂରଣ ପାଇ ସାରିଛନ୍ତି । କିନ୍ତୁ ତୁକୁଲିଆ, ରତନସରା, ଝୁପୁରୁଙ୍ଗା, ଜିରିପସିରା ଗ୍ରାମ ଏବେ ସୁଦ୍ଧା ଥଇଥାନ କି ପୌଣସି ପ୍ରକାର କ୍ଷତିପୂରଣ ପାଇ ନାହାନ୍ତି । କିନ୍ତୁ ଏସବୁ ଗ୍ରାମ ଏବେ ସମ୍ପୂର୍ଣ୍ଣ ଖଣି ବନ୍ଦୀ ହୋଇପଡିଛି । ସେମାନଙ୍କ ସବୁଦିନିଆ ଯାତାୟତ ରାସ୍ତାକୁ କାଟି ଦେବା ସହ ଗ୍ରାମବାସୀଙ୍କୁ ଏଯାବତ୍ ଜୀବିକା ଯୋଗାଇ ଆସୁଥିବା ଲଲମା ଜଙ୍ଗଲକୁ ବ୍ୟାପକ ରୂପେ ଗଛ କାଟି ଚାଲିଛି ଏମସିଏଲ । ଯାହା ୪ ଗ୍ରାମବାସୀଙ୍କ ଜୀବନଜୀବିକା ଯନ୍ତ୍ରଣାସିକ୍ତ ହୋଇପଡିଛି । ଏମିତି ଅଭିଯୋଗ ନେଇ ବୁଧବାର ସୁନ୍ଦରଗଡ ବିଧାୟିକା କୁସୁମ ଟେଟେ, ଯୁବନେତର ଡ. ହିମାଂଶୁ ଶେଖର ଷଡଙ୍ଗୀ ଓ ପ୍ରଭାବିତ ଗ୍ରାମବାସୀଙ୍କ ସହ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରି ଏମସିଏଲର ମନମାନୀ, ଦାଦାଗିରି ବନ୍ଦ କରିବାକୁ ପ୍ରଭାବିତ ଗ୍ରାମବାସୀଙ୍କୁ ସ୍ୱାଭାବିକ ଜୀବନଯାପନ ସୁବିଧା ଦେବାକୁ ସେ ଦାବି କରିଛନ୍ତି । ବିଧାୟିକା ଶ୍ରୀମତୀ ଟେଟେଙ୍କ ଅଭିଯୋଗ ଅନୁସାରେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ କ୍ଲେମ କମିଶନ ଜରିଆରେ ଥଇଥାନ ଓ କ୍ଷତିପୂରଣ ସମ୍ପର୍କିତ ସମସ୍ତ ପ୍ରକାର ବିବାଦ, ଦାବିର ବିଚାର କରି ୧୪ଟି ଗ୍ରାମକୁ ସମସ୍ତ ପ୍ରକାର ସୁବିଧା ଦେବାର କଥା । କିନ୍ତୁ ଏମସିଏଲ ଏହି ୪ଟି ଗ୍ରାମବାସୀଙ୍କୁ ଥଇଥାନ କି କୌଣସି କ୍ଷତିପୂରଣ ଦେଇ ନ ଥିବା ବେଳେ ତୁମୁଲିଆ ନିକଟ ଲଲମା ଜଙ୍ଗଲ ଓ ଜମିକୁ କାଟି କୋଇଲା ଖୋଳିବାରେ ଲାଗିଛି । ଯାହା ଫଳରେ ଗ୍ରାମବାସୀଙ୍କ ଜୀବିକା ବିପନ୍ନ ହୋଇଛି । ସମ୍ପୃକ୍ତ ଜଙ୍ଗଲରୁ କେନ୍ଦୁପତ୍ର ତୋଳି, ବନଜାତ ଦ୍ରବ୍ୟ ଓ ଜାଳେଣି କାଠ ସଂଗ୍ରହ କରି ଜୀବିକା ନିର୍ବାହ କରି ଆସୁଥିଲେ । ସେହିପରି ସୁନ୍ଦରଗଡରୁ ରାୟଗଡକୁ ସଂଯୋଗ କରୁଥିବା ପୂର୍ତ ରାସ୍ତାର ବାଙ୍କିବାହାଲ ଛକ ଠାରୁ ସିଆରମାଲ ନାଳା ପର୍ଯ୍ୟନ୍ତ ଏମସିଏଲର ପ୍ରରୋଚନାରେ ପୂର୍ତ ବିଭାଗ ରାସ୍ତା କାଟି ଚାଲିଛି । ରାସ୍ତା କାଟିବା ଫଳରେ ତୁମୁଲିଆ ପଂଚାୟତବାସୀ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଏପରିକି ଏହା ତୁମୁଲିଆ ସ୍କୁଲକୁ ପାଠ ପଢ଼ିବାକୁ ଆସୁଥିବା ପିଲାଙ୍କୁ ମଧ୍ୟ ସମସ୍ୟାରେ ପକାଇଛି । ଗୋଟିଏ ପଟେ କ୍ଷତିପୂରଣ ମିଳି ନଥିବା ଓ ଅନ୍ୟପଟେ ଖଣି ପାଇ ଏହି ଅଂଚଳରେ ସମସ୍ତ ବିକାଶମୂଳକ କାର୍ଯ୍ୟ ବନ୍ଦ ହୋଇଯିବା ଫଳରେ ଏଠାକାର ରାସ୍ତାଘାଟ, ନାଳ ପୋଖରୀ, ସ୍କୁଲ, କଲେଜ, ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ବେହାଲ ହୋଇପଡିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର ନ କରି ଏମସିଏଲ କର୍ତୃପକ୍ଷ ଓ ସରକାରୀ ଅଧିକାରୀମାନେ କିଛି କୋଇଲା ବେପାରୀମାନଙ୍କ ପ୍ରରୋଚନାରେ ଲୋକଙ୍କ ସ୍ୱାଭାବିକ ଜୀବନଜୀବିକାକୁ ଉଜାଡି ଚାଲିଛନ୍ତି । ତେଣୁ ଏସବୁକୁ ଆଉ ବରଦାସ୍ତ କରାଯିବ ନାହିଁ ବୋଲି ବିଧାୟିକା ଶ୍ରୀମତୀ ଟେଟେ ଉଭୟ ପ୍ରଶାସନ ଓ ଏମସିଏଏକୁ ସତର୍କ କରାଇ ଦେଇଛନ୍ତି । ତେଣୁ ଜିଲ୍ଲାପାଳ ତୁରନ୍ତ ଏମସିଏଲକୁ ଏସବୁ ବେଆଇ କାର୍ଯ୍ୟରୁ ନିବୃତ କରାଇବାକୁ ସେ ଦାବି କରିଥିଲେ । ଆଲୋଚନା ବେଳେ ଅସିମ ପଟେଲ, ବିମଳ ପଟେଲ, ଶିଶିର ଚୌଧୁରୀ ସମେତ ପ୍ରଭାବିତ ଗ୍ରାମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।