ଅନୁଗୁଳ:ଅନୁଗୁଳ ଭରତପୁର ଏମ୍ସିଏଲ୍ କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାର ୩୦ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଠିକା ନିଯୁକ୍ତି ମିଳିବ । ଏ ନେଇ ସୂଚନା ଦେଇଛନ୍ତି ଏଡିଏମ୍ ତପନ ଶତପଥୀ । ଏହି ପ୍ରତିଶ୍ରୁତି ପରେ ଆଜି ମୃତକଙ୍କ ପରିବାର ଲୋକ ଧାରଣାରୁ ହଟିଛନ୍ତି ।
ଏମ୍ସିଏଲ୍ କୋଇଲା ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଲୋକମାନେ ଧାରଣାରେ ବସିଥିଲେ । ଏହା ପରେ ଆଜି ଏଡିଏମ୍ ତପନ ଶତପଥୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ଏଥିରେ ମୃତକଙ୍କ ପରିବାର ଲୋକ, ଏମ୍ସିଏଲ୍ କର୍ତ୍ତୃପକ୍ଷ ଓ ପ୍ରଶାସନିକ ଅଧିକାରୀ ସାମିଲ ଥିଲେ । ବୈଠକରେ ନିଷ୍ପତ୍ତି ଅନୁଯାୟୀ ମୃତଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ହୋଇଛି । ଏହା ସହିତ ପରିବାରର ଜଣେ ସଦସ୍ୟଙ୍କୁ ଖଣିରେ ଠିକା ନିଯୁକ୍ତି ମିଳିଛି । ମାସକ ପରେ ନିୟମିତ କରାଯିବା ନେଇ ବିଚାର କରାଯିବ । ଏଥିପାଇଁ ଏମ୍ସିଏଲ୍ କୋଲ୍ ଇଣ୍ଡିଆକୁ ସୁପାରିଶ କରିବ ବୋଲି ଏଡିଏମ୍ କହିଛନ୍ତି । ଅନ୍ୟପକ୍ଷରେ କ୍ଷତିପୂରଣ ଘୋଷଣା ପରେ ଧାରଣାରେ ବସିଥିବା ପରିବାର ଲୋକ ଆନ୍ଦୋଳନରୁ ଓହରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଜୁଲାଇ ୨୩ ତାରିଖରେ ଭରତପୁର କୋଇଲା ଖଣିରେ ରାତି ପ୍ରାୟ ସାଢ଼େ ୧୦ଟାରେ ହଠାତ୍ ବ୍ଲାଷ୍ଟିଂ ଯୋଗୁଁ ଖସି ଭୁଷୁଡ଼ି ପଡ଼ିଥିଲା । ଫଳରେ ସେଠାରେ କାମ କରୁଥିବା ୧୩ରୁ ଅଧିକ ଶ୍ରମିକ ଚାପି ହୋଇ ଯାଇଥିଲେ । ସଙ୍ଗେ ସଙ୍ଗେ ୯ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିଥିଲା ଓ ଅନ୍ୟ ୪ ଜଣ ନିଖୋଜ ଥିଲେ । ସେମାନଙ୍କୁ ପରବର୍ତ୍ତୀ ସମୟରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।