ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣା: ୧୧ ସସ୍‌ପେଣ୍ଡ, ୫ ଶିକ୍ଷକ ଗିରଫ

ଭୁବନେଶ୍ୱର: ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଶନିବାର ଯାଏଁ ୧୧ ଜଣ କର୍ମଚାରୀ ସସ୍‌ପେଣ୍ଡ ହୋଇଛନ୍ତି। ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ୫ ଜଣ ଶିକ୍ଷକଙ୍କୁ ନୂଆପଡ଼ା ଜିଲ୍ଲାର ବୋଡେନ ପୁଲିସ ଗିରଫ କରିଥିବା ଜଣାପଡ଼ିଛି। ପରୀକ୍ଷା ପରିଚାଳନାରେ ତ୍ରୁଟି ପାଇଁ ନୂଆପଡ଼ା, କୋରାପୁଟ, ଜଗତସିଂହପୁର ଓ ଢେଙ୍କାନାଳ ଜିଲ୍ଲାର ୧୧ ଜଣ ସୁପରିନ୍‌ଟେଣ୍ଡେଣ୍ଟ, ଇନ୍‌ଭିଜିଲେଟର, ପ୍ରଧାନଶିକ୍ଷକ ଓ କ୍ଲକ ସାମିଲ ଅଛନ୍ତି। ଜଗତସିଂହପୁର ଜଲ୍ଲାର ବାପୁଜୀ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଏବଂ କ୍ଲର୍କ ସସ୍‌ପେଣ୍ଡ ହୋଇଛନ୍ତି। ଭାଇରାଲ ଘଟଣାରେ ସଂପୃକ୍ତ ଥିବା କିଛି ଛାତ୍ରଙ୍କୁ ମଧ୍ୟ ପରୀକ୍ଷାରୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡର ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି ସୂଚନା ଦେଇଛନ୍ତି ଯେ, ସେଣ୍ଟର ସୁପରିନ୍‌ଟେଣ୍ଡେଣ୍ଟ ପୁଲିସ ସୁରକ୍ଷା ମାଗି ପାରିବେ। ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ଧାରା ୧୪୪ ଜାରି କରି ଦିଆଯାଇଛି।