ଆଜିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ବର: ଆଜିଠୁ ଆରମ୍ଭ ମାଟ୍ରିକ ପରୀକ୍ଷା। ଏନେଇ ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଦୃଢ ମନୋବଳ ସହ ପ୍ରଥମ ଦିନର ପରୀକ୍ଷାରେ ଭଲ କରିବା ପାଇଁ ସମସ୍ତେ ପ୍ରସ୍ତୁତ । ସକାଳ ୧୦ଟାରୁ ଆରମ୍ଭ ହୋଇ ଦିନ ୧୨ଟା ୩୦ରେ ପରୀକ୍ଷା ଶେଷ ହେବ।। ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୨୮୮୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୬୦ ହଜାରରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ତେବେ ପରୀକ୍ଷା ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ ।

ପରୀକ୍ଷାର ପ୍ରଥମ ଦିନରେ ଓଡିଆ,୨୨ ତାରିଖରେ ଇଂରାଜୀ ଏବଂ ୨୪ ତାରିଖରେ ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ହେବ। ସେହିପରି ଫେବୃୟାରୀ ୨୬ ତାରିଖରେ ଗଣିତ,୨୮ ତାରିଖରେ ସାଧାରଣ ବିଜ୍ଞାନ ଓ ମାର୍ଚ୍ଚ ୧ ତାରିଖରେ ପ୍ରାକ୍ଟିକାଲ ଓ ଶେଷରେ ୨ ତାରିଖରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ।

ପରୀକ୍ଷା କେନ୍ଦ୍ରକୁ ସୁରକ୍ଷାକର୍ମୀ ମାନେ ଜଗିଥିବା ବେଳେ ନୋଡାଲ ସେଂଟର ଗୁଡିକ ଉପରେ କଡା ନଜର ରଖିଛି ସିସିଟିଭି। ଚଳିତ ବର୍ଷ ପରୀକ୍ଷା ପ୍ରଶ୍ନପତ୍ରକୁ ୩ଟି ସିଲରେ ପ୍ୟାକିଂ କରାଯାଇଛି। ତୃତୀୟ ସିଲଟି ପରୀକ୍ଷା ହଲରେ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲା ଯିବ। ତେବେ ପ୍ରଶ୍ନପତ୍ର ଭାଇରାଲକୁ କିପରି ରୋକାଯାଇପାରିବ ସେନେଇ ବୋର୍ଡ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯାଇଛି।