ଭୁବନେଶ୍ୱର: ଫେବ୍ରୁଆରି ୧୯ରୁ ଆରମ୍ଭ ହେଉଛି ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ସୁପରିଚାଳନା ତଥା ତଦାରଖ ପାଇଁ ସ୍କ୍ୱାଡ ବ୍ୟବସ୍ଥାକୁ କଡାକଡି କରାଯାଇଛି । ମାଟ୍ରିକ୍ ପରୀକ୍ଷା ସୂଚାରୁରୂପେ କରିବା ପାଇଁ କପି ରୋକିବା, ସିସିଟିଭି ଯାଂଚ, ପରୀକ୍ଷା ପରିଚାଳନା ଆଦି ବିଷୟରେ ଯାଂଚ କରିବେ ।
ସୋମବାର ଅପରାହ୍ଣରୁ ନୋଡାଲ ସେଂଟରକୁ ପଠାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ଭବାନୀପାଟଣା, କୋରାପୁଟ, ନୂଆପଡ଼ା, ବାଲେଶ୍ବର ଅଂଚଳରେ ଥିବା ନୋଡାଲ ସେଂଟରକୁ ସୁରକ୍ଷା ବଳୟ ମଧ୍ୟରେ ୪ଟି ଗାଡ଼ିରେ ପ୍ରଶ୍ନପତ୍ର ପଠାଯାଇଥିବା ସୂଚନା ମିଳିଛି। ବୋର୍ଡ ସଭାପତି ରାମାଶିଷ ହାଜରା ନଡ଼ିଆ ବାଡେଇ ପ୍ରଶ୍ନପତ୍ର ଗାଡ଼ି ଯାତ୍ରାର ଉଦ୍ଘାଟନ କରିଥିଲେ। ଏହି ଅବସରରେ ବୋର୍ଡ ସଂପାଦକ ଶ୍ରୀକାନ୍ତ କୁମାର ତରାଇଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଥମ ପର୍ଯ୍ୟାୟରେ ମାଟ୍ରିକ୍ର ପ୍ରଥମ ତିନିଟି ବିଷୟ ପ୍ରଶ୍ନପତ୍ର ନୋଡାଲ ସେଂଟରକୁ ପଠାଯିବ। ଆସନ୍ତା ସାତଦିନ ମଧ୍ୟରେ ସମସ୍ତ ନୋଡାଲ ସେଂଟରରେ ପ୍ରଶ୍ନପତ୍ର ପହଂଚିବାକୁ ବୋର୍ଡ ପକ୍ଷରୁ ଯୋଜନା ପ୍ରସ୍ତୁତି ହୋଇଛି। ପ୍ରଶ୍ନପତ୍ର ପହଂଚିବା ପରେ ନୋଡାଲ ସେଂଟରରେ ୨୪ ଘଂଟିଆ ସୁରକ୍ଷା ବଳୟରେ ପ୍ରଶ୍ନପତ୍ର ରଖାଯିବାର ବ୍ୟବସ୍ଥା ହୋଇଛି। ପୂର୍ବବର୍ଷରେ ନୋଡାଲ ସେଂଟରରୁ ପ୍ରଶ୍ନପତ୍ର ପରୀକ୍ଷା ପୂର୍ବଦିନ କେନ୍ଦ୍ରକୁ ପଠାଯାଉଥିବା ବେଳେ ଚଳିତବର୍ଷ ଏଥିରେ ପରିବର୍ତନ କରାଯାଇଛି। ଏବର୍ଷ ପରୀକ୍ଷା ଦିନ ସକାଳୁ ସକାଳୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବା ବ୍ୟବସ୍ଥା ହୋଇଥିବା ବୋର୍ଡର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।