ଆସନ୍ତା କାଲିଠୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ

ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୂଲ୍ୟାୟନ

ଭୁବନେଶ୍ୱର:  କରୋନା ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଛି । ଥମିବାର ନାଁ ନେଉନାହିଁ ମହାମାରୀ କରୋନା । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ହଜାର ପାଖାପାଖି ପହଂଚିଲାଣି । ସେଥିପାଇଁ ଦେଶ ସମେତ ଏବେ ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ଜାରି ରହିଛି । ହେଲେ କରୋନା ପାଇଁ ସବୁ କିଛି ବନ୍ଦ ଥିବାରୁ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡୁଛି । ସେଥିପାଇଁ କରୋନା କଟକଣାକୁ କୋହଳ କରିଛନ୍ତି ସରକାର । ଏହାରି ଭିତରେ ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ଖାତା ମୂଲ୍ୟାୟନ । ହେଲେ ଏଥିରେ ପୂର୍ବରୁ ନିର୍ଦ୍ଧାରିତ ନିୟମ ବଦଳିଛି । ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ନିୟମ ପ୍ରତି ଦିନ ୩ଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ ବ୍ୟବସ୍ଥାକୁ ଏବେ ବାତିଲ୍ କରାଯାଇଛି । ଆସନ୍ତାକାଲିଠୁ ସକାଳ ୧୦ଟାରୁ ଦିନ ୩ଟା ମଧ୍ୟରେ ଖାତା ମୂଲ୍ୟାୟନ ହେବ ବୋଲି ସୂଚନା ଦିଆଯାଇଛି । କରୋନା ଭୟାବହତାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କମ୍ ପରୀକ୍ଷକ ଖାତା ଦେଖିବେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହାଜରା । ତେବେ ଏଠାରେ ସୂଚନା ଯୋଗ୍ୟ ଯେ, ଚଳିତବର୍ଷ ଆତ୍ମଘାତୀ କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପଢା ସହ ବିଭିନ୍ନ ପରୀକ୍ଷା ବାରମ୍ବାର ଘୁଂଚିଛି । ଯାହା ଫଳରେ ପିଲାଙ୍କ ଭବିଷ୍ୟତ ଉପରେ ବି କିଛି ମାତ୍ରାରେ କରୋନା ପ୍ରଭାବ ପକାଉଛି ।