ଆସନ୍ତା ୨୬ରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା

ଭୁବନେଶ୍ୱର : କରୋନା କଟକଣା ଭିତରେ ଦଶମଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖରବ । ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ଖାତାଦେଖା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଖାତାଦେଖା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ କୋଭିଡ୍-୧୯ ଗାଇଡଲାଇନ୍ କୁ ପାଳନ କରି ଖାତାଦେଖା ଆରମ୍ଭ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସରଙ୍କ ରହିବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ୍-୧୯ ନିୟମାବଳୀ ଅନୁସାରେ ସାମାଜିକ ଦୂରତା ଏବଂ ସଚେତନତାକୁ ବଜାୟ ରଖି ଆସନ୍ତା ୨୬ରୁ ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖା ଆରମ୍ଭ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି ।

ସେପଟେ ଜୁଲାଇ ଶେଷ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । କଟକ ବୋର୍ଡ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏନେଇ ସୂଚନା ଦେଇଛନ୍ତି । ଖାତାଦେଖା ନେଇ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ କରୋନା ପାଇଁ ଖାତାଦେଖାରେ ବିଳମ୍ବ ହୋଇଛି । ଗତ ୨୦ରୁ ମାଟ୍ରିକ ଖାତାଦେଖା ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଥିଲା । କିନ୍ତୁ ବାତ୍ୟା ପାଇଁ ପୁଲି ଖାତା ଦେଖାକୁ ସ୍ଥଗିତ ରଖାଯାଇଛି । ତେବେ ଖୁବ ଶୀଘ୍ର ଖାତାଦେଖା ସରିବା ସହ ଜୁଲାଇ ଶେଷ ସୁଦ୍ଧା ମାଟିକଫଳ ବାହାରିବ ବୋଲି ମନ୍ତ୍ରୀ କହିଛନ୍ତି ।