ଭୁବନେଶ୍ୱର ବିଇଓ କାର୍ଯ୍ୟାଳୟକୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଅଚାନକ ଗସ୍ତ

ଭୁବନେଶ୍ୱର: ଶିକ୍ଷା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ  ପ୍ରୟାସ ଆରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମନ୍ତ୍ରୀ ହେବା ପରଠାରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇସାରିଲେଣି ସେ । ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି । ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏହି କ୍ରମରେ ଗୁରୁବାର ଭୁବନେଶ୍ୱର ୟୁନିଟ୍-୮ ସ୍କୁଲ ଓ ବିଇଓ କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ । ବିଇଓଙ୍କ ଠାରୁ ସମସ୍ତ ତଥ୍ୟ ମାଗି ଯାଂଚ କରିଛନ୍ତି ମନ୍ତ୍ରୀ । ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ।ଏହାଛଡା ଅଫିସ କାର୍ଯ୍ୟ ସମୟରେ କୌଣସି ଶିକ୍ଷକଙ୍କୁ ନ ଡାକିବାକୁ ବି ତାଗିଦ କରିଛନ୍ତି।

ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଆଜି ଅଚାନକ୍  ଭୁବନେଶ୍ବର  ୟୁନିଟ୍-୮ ସ୍କୁଲ ପରିଦର୍ଶନ କରି କହିଛନ୍ତି, ରାଜଧାନୀରୁ ଲୋକଙ୍କୁ ଉଦାହରଣ ମିଳିବା ଉଚିତ୍ ।  ଭୁବନେଶ୍ୱରରୁ ହିଁ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରାଗଲେ ସାରା ରାଜ୍ୟକୁ ଏହାର ସୂଚନା  ପହଞ୍ଚିବ । ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର ନୋଟିସ ଜାରି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ । ଫଳାଫଳ ଶୂନ ଥିବା ବିଦ୍ୟାଳୟକୁ ନିଜେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ ବୋଲି କହିଥିଲେ ।