ପୁଲୱାମା ଆକ୍ରମଣକୁ ନେଇ ବଡ଼ ଖୁଲାସା: ମସୁଦ ଆଝାର ରଚିଥିଲା ଷଡଯନ୍ତ୍ର

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣକୁ ନେଇ ଏବେ ବଡ଼ ଖୁଲାସା ହୋଇଛି । ଗୁରୁବାର ପୁଲୱାମାରେ ହୋଇଥିବା ଆକ୍ରମଣର ପୁରା ଷଡଯନ୍ତ୍ର ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଝାର ରଚିଥିବା ସାମ୍ନାକୁ ଆସିଛି । ପୁତୁରା ଉସମାନ୍ ମୃତ୍ୟୁର ପ୍ରତିଶୋଧ ପାଇଁ ଆଝାର ଏଭଳି କରିଥିବା ସୂଚନା ମିଳିଛି ।
ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଥିବା ସୂଚନା ଅନୁଯାୟୀ, ପାକିସ୍ତାନ ରାୱଲପିଣ୍ଡିରେ ଥିବା ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛି ଆଝାର । ଦୀର୍ଘ ୪ମାସ ହେବ ଚିକିତ୍ସିତ ହେଉଥିବାବେଳେ ୮ଦିନ ତଳେ ପୁଲୱାମାରେ ଆକ୍ରମଣ କରିବା ପାଇଁ ତାର ଲୋକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ପୁଲୱାମା ଆକ୍ରମଣ ୮ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ଉଦ୍ଦେଶ୍ୟରେ ଆଝାର କ୍ଷୀଣ ସ୍ୱରରେ ଏକ ଅଡିଓ ମେସେଜ୍ ରିଲିଜ୍ କରିଥିଲା । ପୁତୁରା ମୃତ୍ୟୁର ପ୍ରତିଶୋଧ ନେବାକୁ ତାଙ୍କ ଲୋକମାନଙ୍କୁ କହୁଥିବା ଏହି ଅଡିଓ ମେସେଜରୁ ଶୁଣାଯାଉଥିଲା । ଟ୍ରାଲଠାରେ ଗତ ଅକ୍ଟୋବର ମାସରେ ଉସ୍ମାନ୍ ନିରାପତା ବଳଙ୍କ ଦ୍ୱାରା ନିହତ ହୋଇଥିଲା । ଆଝାର ଆହୁରି କହିଥିଲା ଯେ, ଏହି ଯୁଦ୍ଧରେ ମୃତ୍ୟୁବରଣ କରିବା ଠାରୁ ଆନନ୍ଦ ଆଉ କିଛି ନାହିଁ । ଆଇଇଡି ବିସ୍ଫୋରକ ଦ୍ୱାରା ଫିଦାୟିନ୍ ଆକ୍ରମଣ ଲାଗି କଶ୍ମୀର ଉପତ୍ୟକାର ତରୁଣମାନଙ୍କ ବ୍ରେନୱାସ୍ କରିବାକୁ ଏହି ଅଡିଓ ବ୍ୟବହାର କରିବାକୁ ସେ ଗୋପନରେ ପୁତୁରା ମହମ୍ମଦ ଉମୈର ଓ ଅବ୍ଦୁଲ ଗାଜିଙ୍କୁ ମୁତୟନ କରିଥିଲା । କାଶ୍ମୀରର ଜଣେ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ, ଜୈଶ୍-ଏ-ମହମ୍ମଦର କୌଣସି ଲୋକ ପଦାକୁ ଆସିନାହାନ୍ତି । ସେମାନେ ଦକ୍ଷିଣ କଶ୍ମୀରରେ ତିନି ଜଣ ରିଙ୍ଗ୍ ଲିଡର ଉମୈର, ଇସ୍ଲାମି ଏବଂ ଅବ୍ଦୁଲ ରଶିଦ୍ ଗାଜିଙ୍କ ସହ ଆତ୍ମଗୋପନ କରିଛନ୍ତି ।