ମସୁଦ ଅଜହର, ହାଫିଜ ସୟିଦ,ଦାଉଦ ଇବ୍ରାହିମ ଏବଂ ଲଖବୀ ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ:ଜୈଶ-ଏ-ମହମ୍ମଦର ମୁଖିଆ ମସୁଦ ଅଜହର ଏବଂ ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାଫିଜ ସୟିଦକୁ ସରକାର ନୂଆ ଆତଙ୍କବାଦୀ ନିରୋଧକ ଆଇନ ଅନୁସାରେ ବୁଧବାର ଦିନ ଆତଙ୍କବାଦୀ ଘୋଷଣା କରିଛନ୍ତି । ଗୃହମନ୍ତ୍ରାଳୟ ପକ୍ଷରୁ ଅଣ୍ଡର ୱାର୍ଲଡ ଡନ ଦାଉଦ ଇବ୍ରାହିମ, ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ଜକୀ-ଉର-ରହମାନ-ଲଖବୀକୁ ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । 

ସଂସଦରେ ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ ( UAPA) ବିଲ ୨୦୧୯ ପାରିତ ହେବାର ଏକ ମାସ ପରେ ଏହି ନିଷ୍ପତି ନିଆଯାଇଛି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନାରେ ଉଲ୍ଲେଖ କରାଯାଇଛି ଯେ, କେନ୍ଦ୍ର ସରକାର ମାନନ୍ତି ଯେ ମସୁଦ ଅଜହର ଆତଙ୍କବାଦରେ ସାମିଲ ରହିଛି ଏବଂ ମସୁଦ ଅଜହରକୁ ଉପରୋକ୍ତ ଆଇନ ଅନୁସାରେ  ଆତଙ୍କବାଦୀ ଘୋଷଣା କରାଯାଇଛି ।