ମଦ୍ୟପ ବରର ହାତ ଧରିବାକୁ ମନାକଲା ମଙ୍ଗୁଳା କନିଆ, ଶିଶୁପାଳ ହୋଇ ଫେରିଗଲା ବର

କଳାହାଣ୍ଡି: କଳାହାଣ୍ଡି ଜୁନାଗଡ ବ୍ଲକ ଦୁନ୍ଦେଲମାଲ ଗାଁରେ ଦେଖିବାକୁ ମିଳିଛି ଏମିକି ଏକ ଅଭାବନୀୟ ଘଟଣା । ବିବାହ ବେଦିରେ ମାତାଲ ବରର ହାତ ଧରିବାକୁ ଝିଅ ମନା କରିଦେଇଥିଲା । ଶେଷରେ ନିରାଶ ହୋଇ ବର ଶିଶୁପାଳ ହୋଇ ଫେରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଧର୍ମଗଡ ସହରର ତ୍ରିନାଥ ନାଏକଙ୍କ ପୁଅ ଅମିତ ନାଏକଙ୍କ ସହିତ ଦୁନ୍ଦେଲମାଲ ଗାଁର ସଧର୍ମ ନାଏକଙ୍କ ଝିଅ ଦିପାଞ୍ଜଳି ନାଏକଙ୍କ ବିବାହ ସ୍ଥିର ହୋଇଥିଲା । ଗତ ଶୁକ୍ରବାର ରାତିରେ ଧର୍ମଗଡ ସହରରୁ ଅମିତଙ୍କ ବରଯାତ୍ରୀ ଦୁନ୍ଦେଲମାଲରେ ରାତି ସାଢେ ଆଠଟାରେ ପହଞ୍ଚିଥିଲେ । ବରଯାତ୍ରୀ ଦଳ ସହ ବାଜା ବଜେଇ ବାଣ ଫୁଟାଇ ଶୋଭାଯାତ୍ରାରେ ନେଇ କନିଆଁ ଘରେ ପହଞ୍ଚିଥିଲା ବର । ହେଲେ ବର ଏମିତି ମାତାଲ ଅବସ୍ଥାରେ ଥିଲା ଯେ ବାହାବେଦୀରେ ଚେତାଶୁନ୍ୟ ହୋଇ ପଡିଥିଲା । ଏଭଳି କାରନାମା ଦେଖି ବିବାହ ବେଦିରେ ହାତଗଣ୍ଠି ପଡିବା ପୁର୍ବରୁ କନିଆଁ ମାତାଲ ବରକୁ ବିବାହ କରିବାକୁ ରୋକଠୋକ୍ ମନା କରି ଦେଇଥିଲା । ବର ପକ୍ଷ ଲୋକ ଅନେକ ବୁଝାସୁଝା କରିବା ପରେ ମଧ୍ୟ ଝିଅ ବିବାହ ପାଇଁ ମନା କରିଦେଇଥିଲା । ବାଧ୍ୟ ହୋଇ ବର ଶିଶୁପାଳ ହୋଇ ଘରକୁ ଫେରିଯାଇଥିଲା । ପୁଣିଥରେ ବର ପକ୍ଷ, ଝିଅ ଘରେ ଯାଇ ଆପୋଷ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ । ଗାଁରେ ସଭା କରାଯାଇଥିଲା । ହେଲେ ସଭାରେ ମଧ୍ୟ ଏମତି ମଦୁଆ ବରକୁ ବାହା ହେବାକୁ ରାଜି ହୋଇ ନଥିଲା ।