ରାଜ୍ୟରେ ଗଠିତ ହେବ ମ୍ୟାରିଟାଇମ୍‌ ବୋର୍ଡ

ଭୁବନେଶ୍ୱର : ରାଜ୍ୟରେ ସାମୁଦ୍ରିକ ଅଞ୍ଚଳ ଓ ବନ୍ଦରଗୁଡ଼ିକର ନିୟନ୍ତ୍ରଣ ପାଇଁ ମ୍ୟାରିଟାଇମ୍‌ ବୋର୍ଡ ଗଠନ କରାଯିବ । ଏଥିଲାଗି ବିଧାନସଭାରେ ଏକ ବିଧେୟକ ଆଗତ କରାଯିବ ଏବଂ ଏହା ଗୃହର ଅନୁମୋଦନ ଲାଭ କରିବା ପରେ ଏହି ପ୍ରସ୍ତାବିତ ବୋର୍ଡ ଗଠନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଲେ ଯେ, ଏହି ପ୍ରସ୍ତାବିତ ବୋର୍ଡକୁ ଆର୍ଥିକ କ୍ଷମତା ଦିଆଯିବ । ବନ୍ଦରଗୁଡ଼ିକରୁ ସଂଗୃହୀତ ରାଜସ୍ୱ ଏହି ବୋର୍ଡ ପାଖକୁ ଯିବ । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୋର୍ଡ ଗଠନ କରାଯିବ ଏବଂ ଏଥିରେ ୧୨ଜଣ ସଦସ୍ୟ ରହିବେ । ଆଜିର କ୍ୟାବିନେଟ୍‌ ବୈଠକରେ ଉପରୋକ୍ତ ପ୍ରସ୍ତାବ ସମେତ ମୋଟ ୬ଟି ପ୍ରସ୍ତାବ ମନ୍ତ୍ରିମଣ୍ଡଳରେ ଅନୁମୋଦନ ଲାଭ କରିଛି ।