ଆଜିଠୁ “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍”

କୋଣାର୍କ: ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି “ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍” ଉତ୍ସବ । ୪୯ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ।

ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଟିକେ ନିଆରା ଢଙ୍ଗରେ ଉପସ୍ଥାପନ କରିବା ପାଇଁ ବେଳାଭୂମିରେ ସଜେଇ ହୋଇଛି ୫୦ଟି ୨ ଶଯ୍ୟା ବିଶିଷ୍ଟ ବିଳାସପୂର୍ଣ୍ଣ ଟେଂଟ । ସମୁଦ୍ରର ସୁ ସୁ ଶବ୍ଦ ସହ ପଞ୍ଚତାରକା ହୋଟେଲ୍‌ର ଅନୁଭବ ଭେଟି ଦେବ ଏହି ଅସ୍ଥାୟୀ ଟେଂଟ । ଆଗ୍ରହୀ ପର୍ଯ୍ୟଟକଙ୍କ ରହିବା ପାଇଁ ଟେଂଟ ଗୁଡ଼ିକୁ କ୍ଲାସିକ୍‌ କଟେଜ୍‌, ଡିଲକ୍ସ କଟେଜ୍‌, ପ୍ରିମିୟମ କଟେଜ୍‌, ରୟାଲ୍‌ କଟେଜ୍‌ ଓ ପ୍ରେସିଡେନ୍‌ସିଆଲ୍‌ ଭିଲ୍ଲା ଆଦିରେ ଶ୍ରେଣୀଭୁକ୍ତ କରାଯାଇଛି। ଏଠାରେ ରହିବା ପାଇଁ ରାତି ପିଛା ଜଣକୁ ୭ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ମୂଲ୍ୟ ବିଭିନ୍ନ ଦିନରେ ପରିବର୍ତନ ହେବାର ମଧ୍ୟ ସମ୍ଭାବନା ରହିଛି। ଏହି ନିର୍ଧାରିତ ମୂଲ୍ୟରେ ଜଣେ ଭୁବନେଶ୍ୱର ରୁ ବାହାରିବାଠାରୁ ଆରମ୍ଭ କରି ଖାଦ୍ୟ ପେୟ, ବିଚ୍‌ ସ୍ପା, ଦୁଃସାହସିକ ଜଳକ୍ରୀଡ଼ା, ନେଚର୍‌ ଟ୍ରାଏଲ୍‌ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବାର ସୁଯୋଗ ପାଇପାରିବେ। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଥିପାଇଁ ୪କୋଟି ୮୨ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏଥିପାଇଁ ଏଯାବତ୍‌ ବୁକିଂ କରି ସାରିଛନ୍ତି ୧୮୪ ଜଣ ପର୍ଯ୍ୟଟକ।

ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ। ପରିବେଶ ଦୃଷ୍ଟିରୁ ଏହା ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗଠାରୁ ଅନୁମତି ନିଆଯାଇଛି ବୋଲି ଆଜି ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ ସୂଚନା ଦେଇଛନ୍ତି।

ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ରାଜ୍ୟର ଲୋକନୃତ୍ୟ ଶିଳ୍ପୀ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ। ତେବେ ଏହି ୪୯ ଦିନ ମଧ୍ୟରେ ପ୍ରତି ଶନିବାର ଦେଶର ଜଣାଶୁଣା ପପ୍‌, ସେଲେବ୍ରିଟି ଡିଜେ ଓ ବଲିଉଡ୍‌ର କଣ୍ଠଶିଳ୍ପୀମାନେ ସଂଗୀତରେ ମନୋରଞ୍ଜନ କରିବେ। ଉଦ୍‌ଘାଟନୀ ସଂଧ୍ୟାରେ ଆସନ୍ତାକାଲି ‘ୟୁଫୋରିଆ’ ସଂଗୀତ ପରିବେଷଣ କରିବାକୁ ଥିବା ବେଳେ ଅନ୍ୟ ଦିନମାନଙ୍କରେ ଇଣ୍ଡିଆନ୍‌ ଓସନ୍‌, ହର୍ଷଦୀପ କ‌ୌର, ମାମେ ଖାନ୍‌, ବେନି ଦୟାଲ୍‌, ପାପନ, ଦିବ୍ୟ କୁମାର, ସଲିମ ସୁଲେମାନ୍‌, କ୍ରିଷ୍ଣା ବେଉରା ପ୍ରମୁଖ ସଂଗୀତ କାର୍ଯ୍ୟକ୍ରମ ଭେଟିଦେବେ।

ଇକୋ-ରିଟ୍ରିଟ୍‌ର ପ୍ରବେଶ ପଥ ଟିକେଟ୍‌ କାଉଣ୍ଟରରୁ ଟିକେଟ୍‌ ନେଇ ଦର୍ଶକମାନେ ଏହି ସଂଗୀତ କାର୍ଯ୍ୟକ୍ରମ ଉପଭୋଗ କରିପାରିବେ। ଟିକେଟ୍‌ର ସର୍ବନିମ୍ନ ମୂଲ୍ୟ ୫୦ ଟଙ୍କା ରହିଛି।

ଭାରତର କ୍ରୀଡ଼ା ରାଜଧାନୀର ପରିଚୟ ପାଇଥିବା ଓଡ଼ିଶାର ସମୁଦ୍ର କୂଳ ଅଞ୍ଚଳ ୪୮୦ କିଲୋମିଟର ବ୍ୟାପୀ ରହିଛି। ଏତେ ବଡ ବେଳାଭୂମି ଦୃଷ୍ଟିରୁ ରାଜ୍ୟ ଜଳକ୍ରୀଡ଼ାକୁ ବେଶ୍‌ ପ୍ରାଧାନ୍ୟ ଦେଇ ଅ‌ସୁଛି। ତେଣୁ ଏହି ଅବସରରେ ଜେଟ୍‌ ସ୍କାଏ, ଜର୍ବିଂ, ୱାଟର ରୋଲର, ସ୍ପିଡ୍‌ ବୋଟିଂ, ପାରାସେଲିଂ, ଏଟିଭି, ଆର୍ଚେରି, ରାଇଫଲ୍ ସୁଟିଂ, ବାଇସାଇକେଲ୍‌ ଚାଳନା, ବିଚ୍‌ ଭଲିବଲ୍‌ ଆଦି ରୋମାଞ୍ଚଭରା ଖେଳ ଉପଭୋଗ କରିବାର ସୁଯୋଗ ଦେବ ଏହି ଇକୋ ରିଟ୍ରିଟ୍‌। ଜଳକ୍ରୀଡ଼ା ପାଇଁ ଅଭିଜ୍ଞ ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥିବା ବେଳେ ସୁରକ୍ଷା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ସକାଳେ ବାଲୁଖଣ୍ଡ ଅଭୟାରଣ୍ୟରେ ନେଚର ଟ୍ରାଏଲ୍‌ସର ଅନୁଭବ ସହ ବିଚ୍‌ ଭଲିବଲ୍‌ର ମଜା ନେଇପାରିବ। ଏଥିସହ ପର୍ଯ୍ୟଟକମାନେ ବିଚ୍‌ ସ୍ପା’ର ମଜା ମଧ୍ୟ ନେଇପାରିବେ ବୋଲି ସଚ୍ଚିନ ଆର୍‌ ଯାଦବ କହିଛନ୍ତି।

ଇକୋ-ରିଟ୍ରିଟ୍‌କୁ ୩ ଭାଗରେ ବଣ୍ଟାଯାଇଛି। ପ୍ରଥମତଃ ଇନ୍‌ ହାଉସ୍‌ ଅଞ୍ଚଳ। ଯେଉଁଠି କେବଳ ଟେଣ୍ଟ୍‌ ବୁକିଂ କରି ପର୍ଯ୍ୟଟକମାନେ ରହିପାରିବେ। ଅନ୍ୟଟି ହେଉଛି ପବ୍ଲିକ୍‌ ଏରିଆ (ବିଚ୍‌ ମାର୍କେଟ୍‌)। ଅର୍ଥାତ ଏଠାରେ ହସ୍ତତନ୍ତ, ହସ୍ତଶିଳ୍ପ ସହ ବିଭିନ୍ନ ତାରକା ହୋଟେଲ୍‌ ଓ ରେସ୍ତୋରାଁ ସ୍ୱାଦିଷ୍ଟ ଖାଦ୍ୟ ଭେଟିଦେବେ। ଏହି ପରିସରରେ ଯେ କୌଣସି ଲୋକ ପ୍ରବେଶ କରି କିଣାକିଣି କରିପାରିବେ। ତୃତୀୟଟି ହେଉଛି ସାଂସ୍କୃତିକ ମଞ୍ଚ ଅଞ୍ଚଳ। ଯେଉଁଠି ନୃତ୍ୟ ସଂଗୀତର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସେଠାକୁ ପ୍ରବେଶ ପାଇଁ କିଛି ନିର୍ଦିଷ୍ଟ ଦେୟ ଦେବାକୁ ପଡ଼ିବ। ଏତଦ୍‌ବ୍ୟତୀତ ମାଇସ୍‌ ଟୁରିଜିମ୍‌କୁ ପ୍ରଚାର ପ୍ରସାର କରିବା ପାଇଁ ଏହି ପରିସରରେ ସମ୍ମିଳନୀ ଆୟୋଜନର ବ୍ୟବସ୍ଥା ରହିବ। ବିଶେଷକରି ୧୫୦ ଜଣଙ୍କୁ ନେଇ ଏହା ମଧ୍ୟରେ କର୍ପୋରେଟ୍‌ ସମ୍ମିଳନୀ ଆୟୋଜନ କରାଯାଇପାରିବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି।