ମାର୍ଗାରେଟ୍ ଆଲଭା ହେଲେ ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ 

ଘୋଷଣା କଲେ ଏନସିପି ଅଧ୍ୟକ୍ଷ ଶରଦ ପାୱାର

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏନସିପି ଅଧ୍ୟକ୍ଷ ଶରଦ ପାୱାର ରବିବାର ଏହାର ଘୋଷଣା କରିଛନ୍ତି । ମାର୍ଗାରେଟ୍ ଆଲଭା ହେଉଛନ୍ତି ଗୋଆର ପୂର୍ବତନ ରାଜ୍ୟପାଳ । ସେ କର୍ଣ୍ଣାଟକ ନିବାସୀ ।

ମାର୍ଗାରେଟ୍ ଆଲଭା ୧୯୪୨ ମସିହା ଏପ୍ରିଲ ୧୪ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିଲେ । ପାଠପଢା କର୍ଣ୍ଣାଟକର ପୂରା କରିଥିଲେ । ଏହା ପରେ କଂଗ୍ରେସରେ ମିଶି ରାଜନୀତିରେ ପାଦ ଦେଇଥିଲେ । ସେ ଗୋଆର ରାଜ୍ୟପାଳ ମଧ୍ୟ ଥିଲେ । ସେ ଅଲଗା ଅଲଗା ମନ୍ତ୍ରଣାଳୟର କମିଟିର ସଦସ୍ୟ ରହିଛନ୍ତି । ୧୯୭୫ରେ କଂଗ୍ରେସ ତାଙ୍କୁ ସାଧାରଣ ସଂପାଦକ ଭାବେ ନିଯୁକ୍ତ କରିଥିଲା । ଚାରି ଥର ରାଜ୍ୟସଭା ସାଂସଦ ରହିଥିବା ଆଲଭା ୧୯୯୯ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ସୂଚନାଯୋଗ୍ୟ, କେନ୍ଦ୍ରରେ କ୍ଷମତାସୀନ ଏନଡିଏ ଶନିବାର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଥିଲା । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଧନଖଡଙ୍କ ନାମରେ ମୋହର ମରା ଯାଇଥିଲା । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଥିଲେ ।

ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବାର ଶେଷ ତାରିଖ ହେଉଛି ଜୁଲାଇ ୧୯ । ଜୁଲାଇ ୨୦ ନାମାଙ୍କନ ପତ୍ର ଯାଞ୍ଚ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁଲାଇ ୨୨ ପର୍ଯ୍ୟନ୍ତ ରହିଛି । ଦେଶର ପରବର୍ତ୍ତୀ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଗଷ୍ଟ ୬ରେ ମତଦାନ ହେବ ।

margaret alva opposition vice presidential candidate in India