କୁଖ୍ୟାତ ମାଓବାଦୀ ଦମ୍ପତି ଗିରଫ

ମାଲକାନଗିରି: କୁଖ୍ୟାତ ମାଓବାଦୀ ଦମ୍ପତିକୁ ଗିରଫ କରିଛି ଆନ୍ଧ୍ର ପୋଲିସ । ଏହି ଦମ୍ପତି ପୂର୍ବତନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସ୍ୱାମୀ ବେଳମ୍ ନାରାୟଣ ଓରଫ୍ ଦାମୋଦର ଏବଂ ପତ୍ନୀ ଫୁଲବତୀ ସାମିଲ ଥିଲେ । ଦାମୋଦର ମ୍ୟାଲେରିଆ ଜ୍ୱରରେ ପୀଡିତ ଥିବାବେଳେ ଆନ୍ଧ୍ର ଗୁଡେମ ଥାନା ଅନ୍ତର୍ଗତ ଆଦିରି ବିଡି ଗାଁରେ ଚିକିତ୍ସିତ ହେଉଥିଲେ । ତେବେ ଗୁଇନ୍ଦା ତଥ୍ୟକୁ ଆଧାର କରି ଦାମୋଦର ଏବଂ ତାଙ୍କ ପତ୍ନୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ଆନ୍ଧ୍ର ପୋଲିସ ।

ସୂଚନାଯୋଗ୍ୟ, ପ୍ରାୟ ୨୦ ବର୍ଷ ଧରି ଦାମୋଦର ମାଲକାନଗିରି ଜିଲ୍ଲାରେ ନିଜର ଆଧିପତ୍ୟ ବିସ୍ତାର କରିଥିବାବେଳେ ମାଲକାନଗିରି ଜିଲ୍ଲାର ମାଓବାଦୀ ଡିଭିଜନ କମିଟି ସମ୍ପାଦକ ଦାୟିତ୍ୱ ତୁଲାଉଥିଲେ । ୨୦୦୮ ଚିତ୍ରକୋଣ୍ଡା ଜଳଭଣ୍ଡାର ସ୍ଥିତ ଆଲମପାକା ଲଂଚ ଆକ୍ରମଣରେ ୩୫ଜଣଙ୍କୁ ହତ୍ୟା, ୨୦୧୨ ବିଏସ୍ଏଫ୍ କମାଣ୍ଡାଂଟଙ୍କୁ ଆକ୍ରମଣ କରି ହତ୍ୟା, ୨୦୦୮ କାଲିମେଳା ତେଲରାଇ ଆକ୍ରମଣରେ ୧୬ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଭଳି ବହୁ ଜଘନ୍ୟ ଅପରାଧରେ ଜଡ଼ିତ ଥିଲେ ଦାମୋଦର । ତାଙ୍କ ନାମରେ ୧୦୦ରୁ ଅଧିକ ମାମଲା ରହିଛି।

ପୋଲିସର ମୋଷ୍ଟ ୱାଂଟେଡ୍ ତାଲିକାରେ ଥିଲେ ଦାମୋଦର । ତାଙ୍କ ନାଁରେ କେବଳ ଓଡ଼ିଶାରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଦାମୋଦର ଓ ତାଙ୍କ ପତ୍ନୀ ସ୍ୱାଭିମାନ ଅଂଚଳରେ ଆତଙ୍କ ଖେଳାଇଥିଲେ। ଏହି ଦୁର୍ଦ୍ଦାନ୍ତ ମାଓ ଦମ୍ପତିଙ୍କ ଗିରଫ ପରେ ମାଲକାନଗିରି ପୋଲିସ ଉଭୟଙ୍କୁ ପଚରାଉଚରା କରିବେ ବୋଲି ଜଣାପଡ଼ିଛି । ଓଡ଼ିଶା ପୋଲିସ ଦାମୋଦରଙ୍କୁ ୨୦୧୧ରୁ ଖୋଜୁଥିଲା ବୋଲି ଜଣାଯାଇଛି।