ଲାଲବାହିନୀର ୨୪ ଘଣ୍ଟିଆ ବନ୍ଦ ଡାକରା

କନ୍ଧମାଳ:ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ଲାଲବାହିନୀ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ପୋଲିସର ଦମନ ଲୀଳା ଓ ଗ୍ରୀନହଣ୍ଟ ଅପରେସନ୍‌କୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି । ଯଦ୍ୱାରା ଗମନାଗମନ ବାଧାପ୍ରାପ୍ତ ହୋଇଛି । 

ପୋଲିସର ଦମନ ଲୀଳା ଓ ଅପରେସନ ଗ୍ରୀନହଣ୍ଟକୁ ବିରୋଧ କରି ମାଓବାଦୀମାନେ ୨୪ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରିଛନ୍ତି । ବିଭିନ୍ନ ସ୍ଥାନରେ ଗଛ ପକାଇ ରାସ୍ତା ଅବରୋଧ କରାଯାଇଛି । ଏହା ସହିତ ପୋଷ୍ଟର ଜାରି କରାଯାଇଛି । କନ୍ଧମାଳ ବାଲିଗୁଡ଼ାର ସିର୍ତିଗୁଡ଼ାଠାରେ ଗଛ ପକାଇ ୫୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦାରିଙ୍ଗବାଡ଼ି ଓ ବାଲିଗୁଡ଼ା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ସେହିପରି କୁର୍ତ୍ତମଗଡ଼ ବୈମାଲା ଗାଁ ପନ୍ଦର ମାଇଲ ନିକଟରେ ରାସ୍ତା ବନ୍ଦ କରାଯାଇଛି । ରାସ୍ତାରେ ପଡ଼ିଥିବା ଗଛରେ ବିସ୍ଫୋରକ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି । ଫଳରେ ବାଲିଗୁଡ଼ା, କୋଟଗଡ଼, ରାୟଗଡ଼ା ଓ କଳାହାଣ୍ଡିକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି । ଲୋକମାନେ କେଉଁଠାକୁ ଯିବା ଆସିବା କରି ପାରୁ ନାହାଁନ୍ତି । ତେବେ ବନ୍ଦକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ କରାଯାଇଛି ।