ମାଓ ସଂଗଠନରେ ନେତୃତ୍ବ ପରିବର୍ତ୍ତନ : ହଟିଲେ ଗଣପତି, ଆସିଲେ ବାସବରାଜ୍

ମାଲକାନଗିରି : ମାଓ ସଂଗଠନରେ ନେତୃତ୍ବ ପରିବର୍ତ୍ତନ । ଗଣପତିଙ୍କ ସ୍ଥାନରେ ବାସବରାଜ୍ । ବୟସାଧିକ କାରଣରୁ ଅସୁସ୍ଥ ହୋଇ ପଡ଼ିଥିବା ସିପିଆଇ ମାଓବାଦୀ କେନ୍ଦ୍ରୀୟ କମିଟି ମହାସଚିବ ଗଣପତି, ସ୍ବେଚ୍ଛାକୃତ ଅବସର ନେଲେ । ଆଉ ତାଙ୍କ ସ୍ଥାନରେ ମଙ୍ଗ ଧରିବାକୁ ଆସିଲେ, ଦୀର୍ଘ ଦିନ ଧରି ତାଙ୍କ ଡେପୁଟି ଥିବା ନମ୍ବାଲା କେଶବରାଓ ଓରଫ୍ ବାସବରାଜ୍ ।

ହଟିଲେ ଗଣପତି, ଆସିଲେ ବାସବରାଜ୍ । ମାଓବାଦୀ ସଂଗଠନ କେନ୍ଦ୍ରୀୟ କମିଟିର ମହାସଚିବ ପଦରୁ ଗଣପତି ସ୍ବେଚ୍ଛାକୃତ ଅବସର ନେଇଥିବା ବେଳେ ତାଙ୍କ ସ୍ଥାନରେ ଆସିଛନ୍ତି ନମ୍ବାଲା କେଶବରାଓ ଓରଫ ବାସବରାଜ୍ । ବାସବରାଜ ହିଁ ଏବେ ଠାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, କେନ୍ଦ୍ରୀୟ କମିଟିର ମଙ୍ଗ ଧରିବେ । ଏହି ହେଉଛି ସେହି ପ୍ରେସ୍ ରିଲିଜ୍, ଯାହାକୁ ଜାରି କରିଛନ୍ତି ସିପିଆଇ ମାଓ ସଂଗଠନର ମୁଖପାତ୍ର ଅଭୟ । ବୟସାଧିକ ଏବଂ ଶାରିରୀକ ଅସୁସ୍ଥତା କାରଣରୁ ଗଣପତି ମହାସଚିବ ପଦରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ।

ମାଓବାଦ ଦମନ ପାଇଁ ୧୯୯୧ରେ ଆନ୍ଧ୍ରପ୍ରଦେଶ ସରକାର ବିଭିନ୍ନ ରଣନୀତି ଆପଣାଇଥିଲେ । ଯାହା ମାଓ ସଂଗଠନର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଯାହାକୁ ମୁକାବିଲା କରିବାକୁ ୧୯୯୨ରେ ସଂଗଠନର ମଙ୍ଗ ଧରିଥିଲେ ଗଣପତି । କେନ୍ଦ୍ରୀୟ କମିଟିର ମହାସଚିବ ହୋଇଥିଲେ । ସେବେଠାରୁ ସାରା ଦେଶରେ ଲାଲ୍ ବାହିନୀର ନେତୃତ୍ବ ନେଉଥିଲେ ସେ । ହେଲେ ଏବେ ବୟସାଧିକ କାରଣରୁ ସେ ଅସୁସ୍ଥ ହୋଇ ପଡ଼ିଲେଣି । ଯେଉଁଥି ପାଇଁ ମାଓ ସଂଗଠନ ଦୁର୍ବଳ ହୋଇ ପଡୁଥିବା ବେଳେ ଗଣପତିଙ୍କ ଡେପୁଟି ଥିବା ସଂଗଠନର ବ୍ୟୁରୋ ଚିଫ୍, ବାସବରାଜଙ୍କୁ ସଂଗଠନ ପକ୍ଷରୁ ମହାସଚିବ ପଦରେ ଅବସ୍ଥାପିତ କରାଯାଇଛି ।

ତେବେ କିଏ ସେ ନମ୍ବାଲା କେଶବରାଓ ଓରଫ ବାସବରାଜ ? ବାସବରାଜ … କେବଳ ଏକ ନାଁ ନୁହେଁ, ମାଓସଂଗଠନର ସମ୍ପୂର୍ଣ୍ଣ ଭରସା । ଜଣେ ଉଚ୍ଚ ଶିକ୍ଷିତ, ଯିଏ କି ୨୭ ବର୍ଷ ଧରି ସଂଗଠନରେ କାମ କରୁଛନ୍ତି । ଲାଲ୍ ବାହିନୀର ଅନେକ ବଡ଼ ବଡ଼ ଯୋଜନାକୁ ସଫଳତା ଦେଇଥିବା ଚର୍ଚ୍ଚିତ ଖଳନାୟକ ହେଉଛନ୍ତି ବାସବରାଜ୍ । ରଣନୀତି  ସହ ନୂଆ ଶୈଳୀରେ ବୋମା ତିଆରି କରିବାରେ ସେ ଏକ୍ସପର୍ଟ ଖାଲି ସେତିକି ନୁହେଁ, କେହି କିଛି ଭାବିବା ପୂର୍ବରୁ ଆଇଇଡି ବିସ୍ଫୋରଣ ଘଟାଇ ଆଖି ପିଛୁଳାକେ ଆଣ୍ଟି ଲ୍ୟାଣ୍ଡମାଇନ୍ ଭେହିକିଲ୍ ଉଡ଼ାଇ ଦେବାରେ ମାଷ୍ଟର୍ ମାଇଣ୍ଡ୍ ହେଉଛନ୍ତି ବାସବରାଜ୍ । ରାଜନେତାଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଫିସରଙ୍କୁ ଅପହରଣ କରିନେଇ ଜେଲରେ ଥିବା ମାଓ କମ୍ରେଡଙ୍କୁ ମୁକୁଳାଇବା ସହ ପ୍ରଶାସନ ଓ ସରକାରଙ୍କ ନିଦ ହଜାଇବାର ନାମ ହେଉଛି ବାସବରାଜ । ଏଭଳି ଦୁର୍ଦ୍ଦାନ୍ତ ମାଓ ନେତାଙ୍କୁ ମହାସଚିବ କରିବା ଅର୍ଥ, ସଂଗଠନକୁ ମଜବୁତ କରିବା ।