କର୍ତ୍ତାରପୁର କରିଡର ଉଦଘାଟନୀ ସମାରୋହରେ ଯୋଗ ଦେବାକୁ ପାକିସ୍ତାନ ଯିବେ ମନମୋହନ ସିଂ

ନୂଆଦିଲ୍ଲୀ : ବହୁ କଳ୍ପନାଜଳ୍ପନା ପରେ ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଶିଖମାନଙ୍କର ତୀର୍ଥ କ୍ଷେତ୍ର କର୍ତ୍ତାରପୁର କରିଡରର ଉଦଘାଟନ ସମାରୋହକୁ ଯିବାକୁ ରାଜି ହୋଇଛନ୍ତି । ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେ ପାକିସ୍ତାନ ସରକାରଙ୍କ ନିମନ୍ତ୍ରଣ ରକ୍ଷା କରି ନୁହେଁ, ପଞ୍ଜାବ (ଭାରତ) ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଅନୁରୋଧ ରକ୍ଷା କରି ସେ ସେଠାକୁ ଯିବେ ।

ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁନାନକ ଦେବଙ୍କ ୫୫୦ ତମ ପ୍ରକାଶ ପର୍ବ ଅବସରରେ ସେଠାକୁ ଯିବାକୁ ଥିବା ଶିଖ ପ୍ରତିନିଧିଦଳ (ଜଠା) ର ନେତୃତ୍ୱ କରିବାକୁ ଅମରିନ୍ଦର ସିଂ କିଛିଦିନ ପୂର୍ବରୁ ମନମୋହନଙ୍କୁ ଭେଟି ଅନୁରୋଧ କରିଥିଲେ । ଗତ ସପ୍ତାହରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସୀ କହିଥିଲେ କର୍ତ୍ତାରପୁର କରିଡରର ଉଦଘାଟନ ପାଇଁ ପାକିସ୍ତାନ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବେ ନାହିଁ । ମୋଦୀଙ୍କ ବଦଳରେ ମନମୋହନଙ୍କୁ ନିମନ୍ତ୍ରଣ କରିବାକୁ ସେ ଘୋଷଣା କରିଥିଲେ । କିନ୍ତୁ ଏହି ନିମନ୍ତ୍ରଣ ରକ୍ଷା କରିବାକୁ ଡଃ. ସିଂ ସେତେବେଳେ ମନା କରିଦେଇଥିଲେ ।