ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରୁ ହଟିଲା ଏସପିଜି ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସୁରକ୍ଷାରେ ମୁତୟନ ଥିବା ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ବା ଏସପିଜିକୁ ହଟାଇ ଦିଆଯାଇଛି । ଏବେ ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଦିଆଯିବ ।  ଗୃହ ମନ୍ତ୍ରାଳୟ ବିଭିନ୍ନ ଏଜେନ୍ସି ଓ ଇନପୁଟକୁ ମୂଲ୍ୟାୟନ କରି ଏହି ନିଷ୍ପତି ନେଇଛି । ମନମୋହନଙ୍କ ଜୀବନକୁ କମ ବିପଦ ରହିଥିବାକୁ ଏସପିଜି ସୁରକ୍ଷା ହଟାଇ ଦିଆଯାଇଛି ।

ଏହି ମାମଲାକୁ ନେଇ ଗୃହ ମନ୍ତ୍ରାଳୟ ଏକ ବୟାନ ଜାରି କରି କହିଛି ଯେ, ସୁରକ୍ଷାକୁ ନେଇ ସଂପୂର୍ଣ୍ଣ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି । ନିର୍ଧାରିତ ସମୟ ପରେ ସୁରକ୍ଷା ବ୍ୟବସ୍ଥାକୁ ରିଭ୍ୟୁ କରାଯାଇଥାଏ । ଏହା ଏକ ସାଧାରଣ ପ୍ରକ୍ରିୟା । ଏଥିରେ ସୁରକ୍ଷା ବୃଦ୍ଧି କିମ୍ବା ହଟାଇବା ବାବଦରେ ନିଷ୍ପତି ହୁଏ  ।

ଦେଶର ଏସପିଜି ସୁରକ୍ଷା ବହୁତ କମ ଲୋକଙ୍କୁ ଦିଆଯାଇଥାଏ । ଏସପିଜିରେ ସର୍ବଶ୍ରେଷ୍ଠ ସୁରକ୍ଷା ବଳଙ୍କୁ ସାମିଲ କରାଯାଇଥାଏ । ଏହା କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରଦାନ କରାଯାଏ ।