ଆମ୍ବ ଟାକୁଆ ଖାଇ ଗଲା ତିନି ଜୀବନ

ନବରଙ୍ଗପୁର : ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଯୋଜନା ହେଉଛି ବୋଲି ସରକାରୀସ୍ତରରେ ଡିଣ୍ଡିମ ବାଜୁଛି । କିନ୍ତୁ କେଉଁଠି ଯୋଜନାର ସୁଫଳ ମିଳୁନି ତ ଆଉ କେଉଁଠି ଅପହଞ୍ଚ ହୋଇପଡ଼ିଛି । ସେହିପରି ସଚେତନତାଠାରୁ ବହୁ ଦୂରରେ ରହିଛନ୍ତି ଆଦିବାସୀମାନେ । ଜଙ୍ଗଲରୁ ଫଳମୂଳ ସଂଗ୍ରହ କରି ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଜଙ୍ଗଲଜାତ ଦ୍ରବ୍ୟ ଖାଇ ସେମାନେ ବହୁ ସମୟରେ ପ୍ରାଣ ହରାଉଥିବା ନଜିର ରହିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମଇନାପଦର ଗ୍ରାମରେ । ଆମ୍ବ ଟାକୁଆ ପେଜ ଖାଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି । ଫଳରେ ଏହି ଘଟଣା ପୁଣିଥରେ ବିକାଶର ଚିତ୍ରକୁ ଉପହାସ କରୁଛି ବୋଲି ସାଧାରଣରେ ଆଲୋଚନା ହେଉଛି । ମୃତକମାନେ ହେଲେ ସୁଦମଣି ସାନ୍ତା (୨୫), ନମିତା ସାନ୍ତା(୧୩) ଓ ପ୍ରମିଳା ସାନ୍ତା (୨୨) । ପ୍ରକାଶ ସାନ୍ତା (୬) ଏବେ ସୁଦ୍ଧା ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଏହି ଲୋକମାନେ ଗୋଟିଏ ପରିବାରର ସଦସ୍ୟ । ଆଜି ସକାଳେ କେବଳ ସୁଦମଣି ଓ ନମିତାଙ୍କ ମୃତ୍ୟୁ ଘଟିଥିଲା । ପ୍ରମିଳା ଓ ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କୋରାପୁଟ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ଅପରାହ୍ଣରେ ପ୍ରମିଳାଙ୍କର ସେଠାରେ ମୃତ୍ୟୁ ଘଟିଛି । ପ୍ରମିଳା ଓ ପ୍ରକାଶଙ୍କୁ ପ୍ରଥମେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ପ୍ରକାଶଙ୍କ ଏବେ ସୁଦ୍ଧା କୋରାପୁଟରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସମ୍ପୃକ୍ତ ପରିବାରର ସଦସ୍ୟମାନେ ଆମ୍ବ ଟାକୁଆରେ ପେଜ ତିଆରି କରି ଖାଇଥିଲେ । ବଳକା ରହିଯାଇଥିବା ପେଜକୁ ସୋମବାର ପୁଣି ଖାଇଥିଲେ । କିଛି ସମୟ ପରେ ସମସ୍ତଙ୍କ ରକ୍ତ ବାନ୍ତି ହୋଇଥିଲା । ନମିତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସୁଦମଣି, ପ୍ରମିଳା ଓ ପ୍ରକାଶ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସୁଦମଣିଙ୍କୁ ମୃତ ଘୋଷଣା କରିଥିଲେ । ଏ ସମ୍ପର୍କରେ ପ୍ରମିଳାଙ୍କ ସ୍ୱାମୀ ଅବିନାଶ କହିଛନ୍ତି ଯେ, ପ୍ରତିବର୍ଷ ଆମ୍ବ ଟାକୁଆ ପେଜ ପରିବାରର ସମସ୍ତ ସଦସ୍ୟ ଖାଆନ୍ତି । କିନ୍ତୁ ଆମ୍ବ ଟାକୁଆ ପେଜ ବାସି ହୋଇଯାଇଥିବାରୁ ତାହା ବିଷ ହୋଇଯାଇଥିଲା । ବାସି ଆମ୍ବ ଟାକୁଆ ପେଜକୁ ସମସ୍ତେ ଖାଇଥିବାରୁ ସମସ୍ତଙ୍କ ରକ୍ତ ବାନ୍ତି ହୋଇଥିଲା ଏବଂ ଘଟଣାସ୍ଥଳରେ ଭଉଣୀ ନମିତାର ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ପୁଅ ପ୍ରକାଶ, ସୁଦମଣି ଓ ପତ୍ନୀ ପ୍ରମିଳାଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା । ପରିବାରର ୩ ଜଣ ସଦସ୍ୟଙ୍କୁ ହରାଇ ଅବିନାଶ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ।