କରୋନାରେ ମୃତକଙ୍କ ସତ୍କାର ନେଇ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି ଗାଇଡଲାଇନ ଜାରି ହୋଇଛି । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିସନରମାନଙ୍କୁ ଚିଠି ଲେଖିଛନ୍ତି । କରୋନା ସଂକ୍ରମିତଙ୍କ ମୃତ୍ୟୁ ପରେ ପରିବାରକୁ ହସ୍ତାନ୍ତର ନେଇ ସର୍ତ୍ତମୂଳକ ଅନୁମତି ଦିଆଯିବ । ମୃତଦେହକୁ ସମ୍ମାନର ସହିତ ନେବା ପାଇଁ ଅନୁମତି ମିଳିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

ମୃତଦେହ ନ ଛୁଇଁ ନିଜର ଧର୍ମୀୟ ବ୍ୟବସ୍ଥାରେ ସତ୍କାର ପାଇଁ ଅନୁମତି ମିଳିବ ବୋଲି ଏସ୍‌ଆରସି ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି । ଯଦି କରୋନାରେ ମୃତ ବ୍ୟକ୍ତି ଅନ୍ତିମ ସତ୍କାର ସମୟରେ ପରିବାର ସଦସ୍ୟ ଯିବାକୁ ଚାହୁଁଛନ୍ତି, ତେବେ ସେଠାରେ ସେମାନଙ୍କୁ ନିଜର ଧର୍ମ ଅନୁସାରେ ମୃତଦେହକୁ ଛୁଇଁବାକୁ ସୁଯୋଗ ମିଳିବ ନାହିଁ । ମୃତଦେହ ଠାରୁ ଦୂରରେ ରହିବାକୁ ପଡ଼ିବ । ଏଥିସହିତ ପରିବାର ଲୋକଙ୍କୁ ମାସ୍କ ଓ ଗ୍ଲୋଭ୍‌ସ ପିନ୍ଧିବାକୁ ପଡ଼ିବ । ଅନ୍ତିମ ସଂସ୍କାର ସ୍ଥଳ ସର୍ବସାଧାରଣ ହୋଇଥିବାରୁ ଏଠାରେ ଛେପ ପକାଇପାରିବେ ନାହିଁ । ଏଥି ସହ ମୃତଦେହକୁ ଗାଧୋଇ ଦେବା, ଚୁମ୍ବନ, ଆଲିଙ୍ଗନ ଇତ୍ୟାଦି ସଂପୂର୍ଣ୍ଣ ବାରଣ କରାଯାଇଛି । ଶେଷକୃତ୍ୟ ପରେ ପରିବାର ସଦସ୍ୟଙ୍କୁ ଚିତାଭସ୍ମ ନେବାକୁ ଅନୁମତି ମିଳିବ । ପରିବାର ଲୋକେ ଶେଷକୃତ୍ୟରେ ଭାଗ ନ ନେଇ, ସରକାରୀ ବ୍ୟବସ୍ଥାରେ ସତ୍କାର ହେବ ।

ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ଅନ୍ତିମ ସତ୍କାର ସମୟରେ ୨୦ରୁ ଅଧିକ ଲୋକ ଉପସ୍ଥିତ ରହିପାରିବେ ନାହିଁ । ଏହି କାର୍ଯ୍ୟରେ ମୃତକଙ୍କ ପରିବାର ଲୋକେ ଓ ସାହାଯ୍ୟକାରୀ ସଂସ୍ଥା ଅଂଶଗ୍ରହଣ କରିପାରିବେ ।

ସୂଚନାଯୋଗ୍ୟ, କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି । କେନ୍ଦ୍ରର ଗାଇଡଲାଇନ ଅନୁସାରେ କୋଭିଡ-୧୯ରେ ମୃତ ବ୍ୟକ୍ତିଙ୍କର ମୃତଦେହକୁ ଏକ ସ୍ୱତନ୍ତ୍ର ଧରଣର ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରାଯିବ । ଏହା ପରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆଗକୁ ବଢ଼ିବ । ଓଡ଼ିଶାରେ କରୋନାରେ ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେଇଛନ୍ତି । ମହାମାରୀ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ମୃତଦେହ ସତ୍କାର ଲାଗି ଜଣ ପିଛା ୭ ହଜାର ୫୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ।