ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତୀଙ୍କୁ ଅସମ୍ମାନ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅନ୍ତର୍ଜାତୀୟ ଓଡ଼ିଆ ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ଅସମ୍ମାନ କରାଯାଇଥିବା ଅଭିଯୋଗ ଆସିଛି । କଥାଟା ହେଉଛି, ଜଣେ ଅଜଣା ଯୁବକ ପ୍ରଥମେ ଫେସବୁକରେ ଫ୍ୟାନ୍ ଭାବେ ଦୂତୀଙ୍କୁ ପଠାଇଲା ଫ୍ରେଣ୍ଡ ରିକ୍ୟୁଏଷ୍ଟ । ଏହାପରେ ସେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା । ଯେଉଁକାରଣରୁ ଦୂତୀ ଉକ୍ତ ଯୁବକଙ୍କୁ ଅନଫ୍ରେଣ୍ଡ୍  କରିଦେଲେ । ଏହାପରେ ତାଙ୍କୁ ଯୁବକ ଜଣଙ୍କ ଅଶ୍ଳୀଳ ମେସେଜ୍ ଦେବା ଆରମ୍ଭ କରିଦେଲେ । ଯୁବକ ଜଣଙ୍କର ସତ୍ୟ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଦୂତୀ ଉକ୍ତ ମେସେଜକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଲାଗିଛି ଚର୍ଚ୍ଚା । ତେବେ ଶେଷରେ ଦୂତୀଙ୍କ ପୋଷ୍ଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଯୁବକ ଜଣକ କ୍ଷମାପ୍ରାର୍ଥନା କରିବାକୁ ମେସେଜ୍ ଦେଇଛନ୍ତି । କହିଛନ୍ତି ତାଙ୍କ ଆଇଡିକୁ କେହି ହ୍ୟାକ୍ କରି ଏପରି କରିଛି । ଏହା ସହିତ ପୋଷ୍ଟ ଗୁଡିକୁ ସୋସିଆଲ୍ ମିଡିଆରୁ ଡିଲିଟ୍ କରିଦେବାକୁ ଦୂତୀଙ୍କୁ ଅନୁରୋଧ କରିଛନ୍ତି । ଏପରିକି ଦୂତୀଙ୍କୁ ଦେଖା କରି ଭୁଲ୍ ମାଗିବେ ବୋଲି ମେସେଜ୍ କରିଛନ୍ତି ଯୁବକ ଜଣକ । ବର୍ତ୍ତମାନ ସମାଜରେ ସୋସିଆଲ୍ ମିଡିଆର ବ୍ୟବହାର ଅତି ମାତ୍ରାରେ ବଢିଚାଲିଛି । ସମାଜର ଏକ ବଡ ଜନସଂଖ୍ୟା ଏହି ସୋସିଆଲ୍ ମିଡିଆ ସହିତ ଯୋଡି ହୋଇଗଲାଣି । ଏହା ଜାଣିବା ପରେ ବି ରାଜ୍ୟ ତଥା ଦେଶର ଗୌରବ, ଦେଶର ଆଗଧାଡିର ମହିଳା ଆଥଲେଟ୍ ଦୂତୀ ଚାନ୍ଦଙ୍କ ପ୍ରତି ଯୁବକ ଜଣକ ଏପରି ଅଶ୍ଳୀଳ ବ୍ୟବହାର କିପରି ଓ କାହିଁକି କଲେ, ତାକୁ ନେଇ ପ୍ରଶ୍ନ ଉଠୁଛି ।