ପୁଅ ଟ୍ରାଫିକ୍ ନିୟମ ଭାଙ୍ଗିବାରୁ ବାପା ଗଣିଲେ ତଣ୍ଡ

କଟକ: ଟ୍ରାଫିକ୍ ନିୟମ ଏବେ କଡାକଡି ଭାବରେ ଯାଂଚ୍ କରାଯାଉଛି। ନିୟମ ଉଲ୍ଲଙ୍ଘନ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି। ପୁଣି ଜଣେ ମୋଟା ଅଙ୍କର ଜରିମାନା ଭରି ସାମ୍ନାକୁ ଆସିଛନ୍ତି। କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବାରୁ ତାଙ୍କ ବାପାଙ୍କୁ ଜରିମାନା ଦେବାକୁ ପଡିଛି। 

ତିନି ମାସର କଣ୍ଟ ପୁରିବା ପରେ ଏବେ ଟ୍ରାଫିକ୍ ପୋଲିସମାନେ ତତ୍ପର ଅଛନ୍ତି। ଏଥିପାଇଁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଯାଚ୍ ପ୍ରକ୍ରିୟା କଡାକଡି କରାଯାଇଛି। ଏହି ମଧ୍ୟରେ ଆଜି କଟକ ମଧୁପାଟଣା ଛକରେ ଜଣେ ନାବାଳକ ହେଲମେଟ୍ ନପିନ୍ଧି ଗାଡି ଚାଳନା କରୁଥିବା ବେଳେ ଧରା ପଡିଛନ୍ତି। ସେ ଡ୍ରାଇଭିଂ କରୁଥିବା ସମୟରେ ମୋବାଇଲେ ମଧ୍ୟ କଥା ହେଉଥିଲେ। ଗାଡି ଚାଳକ ନାବାଳକ ହୋଇଥିବାରୁ ତାଙ୍କ ବାପାଙ୍କ ନାମରେ ମୋଟା ଅଙ୍କର ଚାଲାଣ କଟା ଯାଇଛି। ଉକ୍ତ ନାବାଳକଙ୍କ ବାପାଙ୍କୁ ଡାକି ଟ୍ରାଫିକ୍ ପୋଲିସ ୬ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି।

ନୂଆ ମୋଟର ଯାନ ଆଇନ ଅନୁଯାୟୀ ମଦ୍ୟପାନ କରି ଗାଡି ଚଳାଇଲେ ୧ହଜାର ଟଙ୍କା ଫାଇନ୍, ଦ୍ରୁତ ଗତିରେ ଗାଡି ଚଳାଇଲେ ୫ହଜାର, ଟ୍ରାଫିକର ବୀପରିତ ଦିଗରେ ଗାଡି ଚଳାଇଲେ ୫ହଜାର, ଗାଡି ଚାଳନା ବେଳେ ମୋବାଇଲ ବ୍ୟବହାର କଲେ ୫ ହଜାର, ବିପଦପୂର୍ଣ୍ଣ ଗାଡି ଚାଳନା ପାଇଁ ୫ହଜାର, ୨ ଚକିଆରେ ୩ଜଣ ଗଲେ ୫ହଜାର, ଅତ୍ୟଧିକ ଭାର ପରିବହନ ଲାଗି ୨ ହଜାର, ରେଡ ଲାଇଟକୁ ଅବମାନନା କଲେ ୫ ହଜାର, ହେଲମେଟ ନପିନ୍ଧିଲେ ୧ହଜାର ଓ ସିଟ୍ ବେଲ୍ଟ ନପିନ୍ଧିଲେ ୧ ହଜାର ଗଣିବେ। ରାଜଧାନୀର ରୂପାଲି ଛକରେ ଲାଗିଛି ଅଟୋମେଟିକ୍ ନମ୍ଵର ପ୍ଲେଟ ରିଡର ମେସିନ୍। ଏହା ସାହାଯ୍ୟରେ ଗାଡିର ନମ୍ଵର ପ୍ଲେଟ ସ୍କାନ ହୋଇ ସିଧା ଡାକ ଯୋଗେ ମୋଟା ଅଙ୍କର ଫାଇନ୍ ଚାଲାଣ ଆପଣଙ୍କ ଘରେ ପହଁଚିବ।