ମୋଦିଙ୍କୁ ଭେଟିବା ପରେ ଅଡୁଆରେ ମମତା

କୋଲକତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭେଟିବା ପରେ ଅଡୁଆରେ ପଡିଛନ୍ତି । ଶନିବାର ସନ୍ଧ୍ୟାରେ ଯୁବ ସଂଗଠନର ଧାରଣାସ୍ଥଳରେ ଏହାକୁ ନେଇ କିଛି ବାମପନ୍ଥୀ ଛାତ୍ରଛାତ୍ରୀ କଡା ବିରୋଧ କରିଛନ୍ତି ।

ପ୍ରଥମେ ମୋଦିଙ୍କୁ ଭେଟିବା ପରେ ମମତା ଧାରଣା ସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ଭାଷଣ ଦେଇଥିଲେ। ଏହାପରେ ମୋଦିଙ୍କ ସହ ହାୱଡ଼ା ବ୍ରିଜ୍‌ ନିକଟରେ ଥିବା ମିଲେନିଅମ୍‌ ପାର୍କଠାରେ ଏକ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ରେ ଯୋଗଦେବାପାଇଁ ଯାଇଥିଲେ। କିନ୍ତୁ ସେ ଆସିବା ବେଳକୁ ଧାରଣାସ୍ଥଳରେ ବାମପନ୍ଥୀ ଛାତ୍ରଛାତ୍ରୀ ଅପେକ୍ଷା କରିରହିଥିଲେ। ସେମାନେ ଯାଦବପୁର, ପ୍ରସିଡେନ୍ସି ଓ କୋଲକାତା ଆଦି ବିଶ୍ୱବିଦ୍ୟାଳୟରୁ ଆସିଥିଲେ। ଏପରିକି ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଛାତ୍ରଛାତ୍ରୀ ଆସିଥିଲେ। ସେମାନେ ମମତା ପହଂଚିବା ଆଗରୁ ବ୍ୟାରିକେଡ୍‌ ଭାଙ୍ଗି ମାଡ଼ିଯିବାକୁ ପ୍ରୟାସ ଜାରି ରଖିଥିଲେ।

ସେମାନେ ଦିଲ୍ଲୀ ପୋଲିସ ଏବଂ ଜେଏନ୍‌ୟୁ ବିରୋଧରେ ସ୍ଲୋଗାନ ଦେବାକୁ ଆରମ୍ଭ କରିବାରୁ ମମତା କହିଥିଲେ। ଦିଲ୍ଲୀ ପୋଲିସ ବିରୋଧରେ କହିବା ପାଇଁ ଦିଲ୍ଲୀ ଯାଅ। କୋଲକତା ପୋଲିସ ଦିଲ୍ଲୀ ପୁଲିସ୍‌ ନୁହେଁ। ତୁମେମାନେ ବିକ୍ଷୋଭ କରିବାରେ ମୋର ଆପତି ନାହିଁ, କିନ୍ତୁ ଶାନ୍ତି ଶୃଙ୍ଖଳା ରକ୍ଷା କର।

ମମତା ବିଭିନ୍ନ ନାରା ଦେବା ସହ ବାମପନ୍ଥୀ ଛାତ୍ରଛାତ୍ରୀ ମଧ୍ୟ ନାରା ଦେଇଥିଲେ। ମମତା ସିଏଏ ଶେମ୍‌ ଶେମ୍‌ ନାରା ଦେବା ସମୟରେ ବାମପନ୍ଥୀମାନେ ନରେନ୍ଦ୍ର ମୋଦି ଗୋ ବ୍ୟାକ୍‌ ନାରା ଦେଇଥିଲେ। ବାମପନ୍ଥୀ ଛାତ୍ରଛାତ୍ରୀ ଆଜାଦୀ ନାରା ଦେବାବେଳେ ମମତା, ଜୟ ହିନ୍ଦ, ବନ୍ଦେ ମାତରମ୍‌ ଏବଂ ଜୟ ବାଙ୍ଗଲା ନାରା ଦେଇଥିଲେ।