ହ୍ଵିଲ୍ ଚେୟାରରେ ଦିଦିଙ୍କ ହୁଙ୍କାର : ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମରେ ୫ କିଲୋମିଟର ଲମ୍ବା ରୋଡ୍ ସୋ

କୋଲକାତା  : ତୃଣମୂଳ କଂଗ୍ରେସ(ଟିଏମସି)ର ପ୍ରମୁଖ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ହ୍ଵିଲ୍ ଚେୟାରରେ ପ୍ରାୟ ୫ କିଲୋମିଟର ଲମ୍ବା ରୋଡ୍ ସୋ କରିଛନ୍ତି। ନନ୍ଦିଗ୍ରାମରେ ଆହତ ହେବା ପରେ ଏହା ତାଙ୍କର ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ଥିଲା। ଏହି ସମୟରେ ମମତାଙ୍କ ସମର୍ଥକଙ୍କ ରୋଡ୍ ସୋରେ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ରୋଡ୍ ସୋ ଉପରେ ଆୟୋଜିତ ଜନସଭାରେ ମମତା ବାନାର୍ଜୀ ଶାଣିତ ସ୍ଵରରେ ବିଜେପି ଉପରେ ହମଲା କରିଛନ୍ତି।

ସୋମବାର ଓ ମଙ୍ଗଳବାର ପୁରୁଲିଆ ଓ ବାଙ୍କୁରାରେ ରାଲିକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ରବିବାର ମମତା ଦୁର୍ଗାପୁର ଗାନ୍ଧୀ ମଇଦାନ ସ୍ଥିତ ହେଲିପ୍ୟାଡ୍‌ ପହଞ୍ଚିଥିଲେ। ରବିବାର ରାତିରେ ସେ ଦୁର୍ଗାପୁର ସିଟି ସେଣ୍ଟରରେ ଅବସ୍ଥାନ କରିବେ। ସୋମବାର ଏଠାରୁ ପୁରୁଲିଆ ଅଭିମୁଖେ ଯାତ୍ରା କରିବେ। ହେଲିପ୍ୟାଡ୍‌ରୁ ଓହ୍ଲାଇବା ପରେ ମମତା ହ୍ଵିଲ୍ ଚେୟାରରେ ବସିଥିଲେ।

ଆହତ ପରେ ପୁଣି ଥରେ ମମତା ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି। ମମତା ବାନାର୍ଜୀ ରବିବାର ଦକ୍ଷିଣୀ କୋଲକାତାରେ ହ୍ଵିଲ୍ ଚେୟାରରେ ବସି ରଣ ହୁଙ୍କାର ଦେଇଛନ୍ତି। ସେ ଏବେ ହ୍ଵିଲ୍‌ ଚେୟାରରେ ବସି ରୋଡ୍ ସୋ କରିବେ। ଆଜି ହୋଇଥିବା ୫ କିମିର ରୋଡ୍ ସୋରେ ତାଙ୍କର ହଜାର ହଜାର ସମର୍ଥକଙ୍କ ଭିଡ ଜମିଥିଲା।

ମଞ୍ଚରେ ମମତା କହିଛନ୍ତି ଯେ, ମୁଁ ଜୀବନରେ ବହୁତ ଆଘାତ ଖାଇଛି। କିନ୍ତୁ ବଙ୍ଗାଲ ଲୋକଙ୍କ ଯନ୍ତ୍ରଣାଠୁ ମୋ ଯନ୍ତ୍ରଣା ଅଧିକ ନୁହେଁ। ଦେଶରେ ସଂପ୍ରତି ଗଣତନ୍ତ୍ର ଉପରେ ହମଲା ହେଉଛି। ମୁଁ ନନ୍ଦିଗ୍ରାମ ଲୋକଙ୍କୁ ସଲାମ କରୁଛି। ମୋ ପାଦରେ ଆଘାତ ଲାଗିଥିଲେ ମଧ୍ୟ ମୁଁ ପୂରା ରାଜ୍ୟ ଗସ୍ତ କରିବି। ଆଘାତ ପାଇଥିବା ବାଘୁଣୀ ଆହୁରି ବିପଜ୍ଜନକ ହୋଇଥାଏ ବୋଲି ମମତା କହିଛନ୍ତି। ମମତା କହିଛନ୍ତି, ଆମେ ନିର୍ଭୟର ସହ ନିଜର ଲଢେଇ ଜାରି ରଖିବା। ଏବେ ମଧ୍ୟ ମୋତେ ବହୁତ ଯନ୍ତ୍ରଣା ହେଉଛି। କିନ୍ତୁ ମୁଁ ଲୋକଙ୍କ ଯନ୍ତ୍ରଣା ଅନୁଭବ କରି ପାରୁଛି। ଆମେ ନିଜ ମାଟିର ଲଢେଇରେ ବହୁତ କ୍ଷତି ସହିଛୁ। ଆମେ ଆହୁରି ପୀଡିତ ହେବା ତଥାପି ଲଢେଇ ଜାରି ରହିବ ବୋଲି ମମତା କହିଛନ୍ତି।

mamata banerjee on wheelchair rally