ଆଜି ଭାରତ ଆସୁଛନ୍ତି ଜିନପିଙ୍ଗ; ସ୍ୱାଗତ ପାଇଁ ମହାବଳୀପୁରମ ପ୍ରସ୍ତୁତ

ମହାବଳୀପୁରମ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଶୁକ୍ରବାର ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଦକ୍ଷିଣ ଭାରତର ପ୍ରାଚୀନ ନଗର ମହାବଳୀପୁରମ (ମମଲ୍ଲାପୁରମ)ରେ ହେବାକୁ ଥିବା ମୋଦୀ-ଜିନପିଙ୍ଗଙ୍କ ସମ୍ମିଳନୀ ପୂର୍ବରୁ ସ୍ୱାଗତ ପାଇଁ ବଡ଼ ଆୟୋଜନ କରାଯାଇଛି । ଜିନପିଙ୍ଗ ଏଠାରେ ପହଞ୍ଚିବା ପରେ ତାଙ୍କୁ ପାରଂପରିକ ଭାବେ ସ୍ୱାଗତ କରାଯିବ । ତାମିଲନାଡୁ ପୋଲିସ ଓ ଏସପିଜି ଯବାନମାନେ ମହାବଳୀପୁରମରେ ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ସୁରକ୍ଷା ପାଇଁ ମେସିନ ମଧ୍ୟ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାବଳୀପୁରମରେ ଆଜି ଅପରାହ୍ନ ୪ଟାରେ ଜିନପିଙ୍ଗଙ୍କୁ ସ୍ୱାଗତ କରିବେ । ଏଥି ପାଇଁ ମୋଦୀ ଶୁକ୍ରବାର ପୂର୍ବାହ୍ଣ ୧୧ଟା ୧୫ରେ ଏଠାରେ ପହଞ୍ଚିବେ । 

ସମୁଦ୍ର ତଟରେ ଥିବା ପ୍ରାଚୀନ ସହରର ମନ୍ଦିର ପରିସରରେ ବୁଲେଟପ୍ରୁଫ ଆକୃତି କରାଯାଇଛି । ଏଠାରେ ୨ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ସୁରକ୍ଷା ଅଧିକାରୀମାନେ ସଭାସ୍ଥଳ ପରିଦର୍ଶନ କରିଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ ପଲାନିସାମୀ ଗୁରୁବାର ସନ୍ଧ୍ୟାରେ ମହାବଳୀପୁରମ ପହଂଚି ପ୍ରସ୍ତୁତି କାମ ନୀରିକ୍ଷଣ କରିଛନ୍ତି । ପ୍ରାଚୀନ ମନ୍ଦିର ଓ ଐତିହାସିକ କୀର୍ତ୍ତିରାଜିରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବନ୍ଦ କରି ଦିଆଯାଇଛି । ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ ଲଗାଯାଇଛି । 

ପୂର୍ବତଟରେ ଥିବା ସହରର ରାସ୍ତାକୁ ସୁସଜ୍ଜିତ ଭାବେ ସଜାଯାଇଛି । ଚୀନ ରାଷ୍ଟ୍ରପତି ଯେଉଁ ଆଇଟିସି ଗ୍ରାଣ୍ଡ ଚୋଲା ହେଟେଲରେ ରହିବେ, ଏହାରି ସମ୍ମୁଖରେ କଳଦୀ ଓ ଆଖୁ ପତ୍ରରେ ସଜାଯାଇଛି । ଜିନପିଙ୍ଗ ବିମାନବନ୍ଦରରେ ପହଂଚିବା ପରେ ୫୦୦ କଳାକାର ପାରଂପରିକ ଢୋଲ ଓ ନୃତ୍ୟ କରି ସ୍ୱାଗତ କରିବେ । ଏହା ବ୍ୟତୀତ ଭାରତନାଟ୍ୟମ ଓ କଥକଳୀ ନୃତ୍ୟ ପରିବେଷଣ ହେବ । ସେହିପରି ବିମାନବନ୍ଦରରୁ ମହାବଳୀପୁରମ ଯିବା ରାସ୍ତାକୁ ସୁସଜ୍ଜିତ କରାଯାଇଛି ।