ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନଏସି ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
ମାଲକାନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ରେ ପହଞ୍ଚିଥିବା ବେଳେ ଦ୍ରୁତ ଗତିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚିହ୍ନଟ ନୂଆ ୩୬ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ମ୍ୟୁନିସିପାଲିଟିରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ବାଲିମେଳା ଏନଏସି ରୁ ୧୫ ଏବଂ ଖଇରପୁଟ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଥିବାରୁ ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।
ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ୍ ଥିବା ବେଳେ ସୋମବାର ଏହି କଟକଣାକୁ କୋହଳ କରାଯାଇଛି। ଏହାପରେ ମଧ୍ୟରାତ୍ରରୁ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କେବଳ ଖୋଲା ରହିବ। ଆବଶ୍ୟକତା ନ ଥିଲେ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏହି ସମୟରେ ଯାଞ୍ଚ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଥିବା ବେଳେ ରାସ୍ତାରେ ଯାଉଥିବା ଲୋକେ ଆବଶ୍ୟକ କାଗଜପତ୍ର, ଆଇକାର୍ଡ ଦେଖାଇବାକୁ କୁହାଯାଇଛି। ନଚେତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।