ନର୍ସଙ୍କ ଟିକଟକ୍ ଭିଡିଓ ପ୍ରସଙ୍ଗ: ୪ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ

ମାଲକାନଗିରି: ହସ୍ପିଟାଲ ମଧ୍ୟରେ ନର୍ସମାନଙ୍କ ଟିକଟକ୍ ଭିଡିଓ ଭାଇରାଲ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ମାଲକାନଗିରି ପ୍ରଶାସନ । ମାଲକାନଗିରି ଜିଲ୍ଲାପାଳ ଏହି ଘଟଣାରେ ୪ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ସୂଚନାନୁସାରେ, ଆଜି ସକାଳେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁ ନର୍ସମାନଙ୍କ ଏକ ଟିକଟକ୍ ଭିଡିଓ ଭାଇରାଲ ହୋଇଥିଲା । ନର୍ସମାନେ ମେଡିକାଲରେ ଥିବା ଚିକିତ୍ସାଧିନ ପିଲାଙ୍କୁ ନେଇ ଏହି ଭିଡିଓ ପ୍ରସ୍ତୁତ କରିଥିଲେ । ଏପରିକି ଚିକିତ୍ସିତ ହେଉଥିବା ପିଲାଙ୍କୁ ସେମାନେ ବେଡରୁ ଉଠାଇ ଭିଡିଓ କରିଥିଲେ । ଯାହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା ।

ଭିଡିଓ ଭାଇରାଲ ହେବା ପରେ ଏହା ଜିଲ୍ଲାର ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆସିଥିଲେ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ କହିଥିଲା । ଏହାପରେ ଜିଲ୍ଲାପାଳ ତ୍ୱରିତ କାର୍ଯ୍ୟାନୁଷ୍ଠାନସ୍ୱରୂପ ଟିକଟକ୍ କରିଥିବା ୪ଜଣ ନର୍ସଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।