ଜ୍ଞାନପୀଠ ପୁରସ୍କାର ପାଇବେ ମାଲୟାଲମ ଲେଖକ ଅକ୍କିଥମ୍‌

ନୂଆଦିଲ୍ଲୀ : ବିଶିଷ୍ଟ ଗାନ୍ଧିବାଦୀ ମାଲୟାଲମ ଲେଖକ ଅକ୍କିଥମ ଅଚ୍ୟୁତନ ନମ୍ବଦିରିଙ୍କୁ ଚଳିତ ବର୍ଷର ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଆଜି ଘୋଷଣା ହୋଇଛି। ଏହା ପୂର୍ବକୁ ଅକ୍କିଥମଙ୍କୁ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଆଜି ଭାରତୀୟ ଜ୍ଞାନପୀଠ କମିଟିର ବୈଠକରେ ମାଲୟାଲମ ଭାଷାର ଶୀର୍ଷ କବି ଅକ୍କିଥମଙ୍କୁ ଜ୍ଞାନପୀଠ ପୁରସ୍କାର ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ଜ୍ଞାନପୀଠ ପୁରସ୍କାର ବିଜେତା ପ୍ରଖ୍ୟାତ ଓଡ଼ିଆ ଲେଖିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ନିଷ୍ପତ୍ତି ନେଇଥିଲା। ୮ ମାର୍ଚ, ୧୯୨୬ରେ କେରଳର ପଲାକଡ଼ ଜିଲ୍ଲାର କୁମଲ ନଲ୍ଲରୁ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଅକ୍କିଥମଙ୍କର କବିତା, ନାଟକ, ଉପନ୍ୟାସ ଏବଂ ଅନୁବାଦ ସାହିତ୍ୟ କ୍ଷେତ୍ରରେ ବିପୁଳ ପ୍ରସିଦ୍ଧି ରହିଛି। ଅକ୍କିଥମଙ୍କ ୪୦ରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି। ତାଙ୍କର ରଚନାଗୁଡ଼ିକ ବିଭିନ୍ନ ଭାରତୀୟ ଭାଷା ଏବଂ ବିଦେଶୀ ଭାଷାରେ ମଧ୍ୟ ଅନୁବାଦ ହୋଇଛି।