ମ୍ୟାଲେରିଆ ନିୟନ୍ତ୍ରଣ କର୍ମଶାଳା : ୭ ଜିଲ୍ଲାରେ ସ୍ଥିତି ଅନୁଧ୍ୟାନ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର :  ମ୍ୟାଲେରିଆ ହ୍ରାସ ପାଇଥିବା ଜିଲ୍ଲାଗୁଡ଼ିକରେ ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍‍ ବୟସର ଶିଶୁ କିଭଳି ଉପକୃତ ହୋଇଛନ୍ତି ସେ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବ । ପ୍ରଥମ ପର‌୍ୟ୍ୟାୟରେ ୭ଟି ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ୟୁନିସେଫ୍‍, ଆର୍‍ଏମ୍‍ଆର୍‍ଏସି, ମ୍ୟାଲେରିଆ ନୋ ମୋର୍‍, ରାଜ୍ୟରେ ଥିବା ଏନ୍‍ଭିବିଡିସି ି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ ଏହି କାର‌୍ୟ୍ୟ କରିବେ । ଯେଉଁ ୭ଟି ଜିଲ୍ଲାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି ସେଗୁଡ଼ିକ ହେଲା କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, କେନ୍ଦୁଝର ଓ ବଲାଙ୍ଗୀର । ଏହି ସବୁ ଜିଲ୍ଲାରେ ମ୍ୟାଲେରିଆର ସଫଳ ନିୟନ୍ତ୍ରଣ ଯୋଗୁ ରୋଗ ପ୍ରାଦୁର୍ଭାବ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି । ଯେଉଁଠାରେ ମ୍ୟାଲେରିଆ ହ୍ରାସ ପାଇଥାଏ ସେଠାରେ ମହିଳାମାନଙ୍କ ଠାରେ ରକ୍ତହୀନତା କମିବା ସହିତ ସୁସ୍ଥ ସବଳ ପିଲା ଜନ୍ମ ହୋଇଥାନ୍ତି ଓ ଉଭୟ ମା’ ଓ ଶିଶୁଙ୍କର ଓଜନ ମଧ୍ୟ ସଠିକ୍‍ ରହିଥାଏ । ତେଣୁ ଏହି ସବୁ ଜିଲ୍ଲାରେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କଠାରେ କି ପ୍ରକାର ଉନ୍ନତି ପରିଲକ୍ଷିତ ହୋଇଛି ସେ ସଂକ୍ରାନ୍ତରେ ଗବେଷଣା ହେବ । ଯେଉଁଠାରେ ମ୍ୟାଲେରିଆ ନିୟନ୍ତ୍ରଣରେ ତ୍ରୁଟି ଥିବା ଲକ୍ଷ୍ୟ କରାଯିବ ସେଠାରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

ଏ ସଂକ୍ରାନ୍ତରେ ଆଜି ଆର୍‍ଏମ୍‍ଆର୍‍ସି ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଡା. ବି.କେ ବ୍ରହ୍ମା, ଆର୍‍ଏମ୍‍ଆର୍‍ଏସିର ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ହରପ୍ରସାଦ ପଟ୍ଟନାୟକଙ୍କ ସମେତ ୟୁନିସେଫ୍‍, ମ୍ୟାଲେରିଆ ନୋ ମୋର୍‍ ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପ୍ରଥମ ପର‌୍ୟ୍ୟାୟରେ ସାମିଲ ହୋଇଥିବା ୭ଟି ଜିଲ୍ଲାର ମ୍ୟାଲେରିଆ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଅଧିକାରୀମାନେ ଯୋଗ ଦେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ‘ଦମନ୍‍’ କାର‌୍ୟ୍ୟକ୍ରମ ଚଳାଇବା ସହିତ ୨୦୧୬ରେ ୧ କୋଟି ୧୩ ଲକ୍ଷ ଔଷଧୀୟ ମଶାରୀ ବାଣ୍ଟିବା ପରେ ରାଜ୍ୟରେ ମ୍ୟାଲେରିଆର ପ୍ରକୋପ ପ୍ରାୟ ୯୦ ପ୍ରତିଶତ ହ୍ରାସ ପାଇଛି । ରାଜ୍ୟ ସରକାରଙ୍କ ଏହି ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର‌୍ୟ୍ୟକ୍ରମକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପ୍ରଶଂସା କରିବା ସହିତ ମ୍ୟାଲେରିଆ ପ୍ରବଣ ଦେଶଗୁଡ଼ିକୁ ଓଡ଼ିଶା ସରକାରଙ୍କର ଏହି ମଡେଲ ଆପଣେଇବାକୁ ପରାମର୍ଶ ଦେଇଛି ।ଏଥିସହିତ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ପ୍ରକାଶିତ ବିଶ୍ୱ ମ୍ୟାଲେରିଆ ରିପୋର୍ଟ ୨୦୧୮ରେ ଓଡ଼ିଶାର ସଫଳ ମ୍ୟାଲେରିଆ ନିୟନ୍ତ୍ରଣ କାର‌୍ୟ୍ୟକ୍ରମ ସ୍ଥାନ ପାଇଛି । କେନ୍ଦ୍ର ସରକାର ମଧ୍ୟ ଓଡ଼ିଶାର ଏଭଳି କାର‌୍ୟ୍ୟକୁ ତାରିଫ୍‍ କରିଛ ।