ମ୍ୟାଲେରିଆମୁକ୍ତ ଓଡ଼ିଶା ପାଇଁ ‘ମ୍ୟାକ୍‌’ର ଶୁଭାରମ୍ଭ

ଭୁବନେଶ୍ବର : ଓଡ଼ିଶାକୁ ମ୍ୟାଲେରିଆମୁକ୍ତ କରିବା ଲକ୍ଷ୍ୟ ନେଇ ‘ମ୍ୟାଲେରିଆ ନୋ ମୋର୍‌ ଇଣ୍ଡିଆ’ ପକ୍ଷରୁ ମ୍ୟାଲେରିଆ କାର୍ଯ୍ୟାନ୍ବୟନ ମେଣ୍ଟ ବା ମ୍ୟାକ୍‌ର ଶୁଭାରମ୍ଭ ହୋଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ଏହାର ଉଦ୍‌ଘାଟନ କରିଛନ୍ତି। ରାଜ୍ୟ ସରକାରଙ୍କ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତୀବ୍ର କରିବାରେ ଏହି ମେଣ୍ଟ ବିଭିନ୍ନ ଚିନ୍ତାଧାରାକୁ ଆଣିବାରେ ସମର୍ଥ ହେବ। ମ୍ୟାଲେରିଆ ନିରାକରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୬ ଲକ୍ଷ ୫୪ ହଜାର ଔଷଧୀୟ ମଶାରୀ ଯୋଗାଇଦିଆଯାଇଥିବା ଶ୍ରୀ ଦାସ କହିଥିଲେ। ‘ମ୍ୟାଲେରିଆ ନୋ ମୋର୍‌ ଇଣ୍ଡିଆ’ର ଜାତୀୟ ନିର୍ଦେଶକ ଡା. ସଂଜୀବ ଗାଏକ୍ବାଡ୍‌ କହିଲେ, ଓଡ଼ିଶାକୁ ମ୍ୟାଲେରିଆମୁକ୍ତ କରିବାକୁ ହେ‌ଲେ ବିଭିନ୍ନ ଅଂଶୀଦାରକୁ ଏକାଠି କରିବାର ଆବଶ୍ୟକତା ରହିଛି। ମ୍ୟାକ୍ ଏହି ଅଭାବକୁ ପୂରଣ କରିବା ସହ ମ୍ୟାଲେରିଆମୁକ୍ତ ଲଢ଼େଇକୁ ବ୍ୟାପକ କରିବାରେ ସହାୟକ ହେବ ବୋଲି ସେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ଡା. ଏଚ୍‌.ପି ପଟ୍ଟନାୟକ ଓ ଆବେଟ ଇଣ୍ଡିଆ ମହାପ୍ରବନ୍ଧକ ଭାସ୍କର ମାଲାଡ଼ି ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖ‌ଯୋଗ୍ୟ, ୨୦୩୦ ମସିହା ସୁଦ୍ଧା ଦେଶରୁ ମ୍ୟାଲେରିଆ ନିରାକରଣ ଲକ୍ଷ୍ୟ ରଖାଯାଇଛି। ଗତ ଦୁଇ ବର୍ଷ ହେବ ‘ମ୍ୟାଲେରିଆ ନୋ ମୋର୍‌ ଇଣ୍ଡିଆ’ ଓଡ଼ିଶାରେ କାର୍ଯ୍ୟ କରୁଛି। ଏହାସହ ଆବୋ‌ଟ ଇଣ୍ଡିଆ ରାଜ୍ୟରେ ମ୍ୟାଲେରିଆ ଚିହ୍ନଟ ଓ ସର୍ଭେଲାନ୍ସ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ୧ ନିୟୁତ ରାପିଡ୍ ଡାଏଗ୍ନୋଷ୍ଟିକ୍ ଟେଷ୍ଟ କିଟ୍ ଯୋଗାଇବା ସହ ବୈଷୟିକ ବିଶେଷଜ୍ଞତା ପ୍ରଦାନ କରୁଛି।