ନୂଆଦିଲ୍ଲୀ: ଆଗକୁ ସାଧାରଣତନ୍ତ୍ର ଦିବସ । ତେବେ ଏହି ଅବସରରେ ଜୈଶ୍ ଆତଙ୍କୀ ସଂଗଠନ ବଡ଼ ଧରଣର ଆକ୍ରମଣ କରିବାର ଯୋଜନା ଚଳାଇଥିଲା । ଯାହାକୁ ଆଜି ଜମ୍ମୁ-କଶ୍ମୀର ପୋଲିସ ପଣ୍ଡ କରିଛି । ତେବେ ଏହି ଘଟଣାରେ ୫ ଆତଙ୍କବାଦୀଙ୍କୁ ଗିରଫ କରିଛି ପୋଲିସ ।
ପ୍ରକାଶ ଯେ, ସାଧାରଣତନ୍ତ୍ର ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କୀ ହାମ୍ଲା କରିବା ଲକ୍ଷ୍ୟରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈଶ୍-ଇ- ମହମ୍ମଦର ୫ ଜଣ ଆତଙ୍କବାଦୀ ବିପୁଳ ପରିମାଣର ମାରଣାସ୍ତ୍ର ସହ ଆସି ଜମ୍ମୁ- କଶ୍ମୀରରେ ଆତ୍ମଗୋପନ କରି ରହିଥିଲେ ଏବଂ ଜମ୍ମୁ- କଶ୍ମୀରରୁ ଦେଶର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସୁଯୋଗ ଅପେକ୍ଷାରେ ରହିଥିଲେ।
ଆତଙ୍କବାଦୀମାନଙ୍କର ଏ ଯୋଜନା ବାବଦରେ ଏକ ବିଶେଷ ସୂତ୍ରରୁ ଖବର ପାଇବା ପରେ ଜମ୍ମୁ- କଶ୍ମୀର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ହଜରତ୍ବଲ ଅଂଚଳରେ ଚଢ଼ାଉ କରି ଜୈଶ୍-ଇ- ମହମ୍ମଦର ୫ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ମାରଣାସ୍ତ୍ର ସମେତ ବିସ୍ଫୋରକ ଜବତ କରିଛି। ଗିରଫ ହୋଇଥିବା ଜୈସ୍ର ୫ ଜଣ ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ପୋଲିସ ଅଜାଜ୍ ଅହମ୍ମଦ ଶେଖ୍, ଉମର ହମିଦ୍ ଶେଖ୍, ଇମତିୟାଜ୍ ଅହମ୍ମଦ ଚିକ୍ଲା, ସାହିଲ ଫାରୁକ୍ ଗୋଜ୍ରି ଓ ନସିର ଅହମ୍ମଦ ମୀର୍ ବୋଲି ଚିହ୍ନଟ କରିଛି।