ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତ ଗିରଫ

ଆଠଗଡ: ବଜ୍ରକାପ୍ତା ଚୋରାଚାଲାଣର ମୁଖ୍ୟ ଅଭିଯୁକ୍ତଙ୍କୁ ବନବିଭାଗ ଗିରଫ କରାଯାଇଥିବା ଜଣାପଡିଛନ୍ତି । ତେବେ ଅଭିଯୁକ୍ତଙ୍କ ନାମ ମାଧବ ଚନ୍ଦ୍ର । କଟକ ଜିଲ୍ଲାର ମଣ୍ଡଳୀ ଅଂଚଳରୁ ତାଙ୍କୁ ଗିରଫ କରାଯାଇଛି । ଏହି ରାକେଟରେ ପୂର୍ବରୁ ୧୨ ଜଣଙ୍କୁ ଗିରଫ କରାଯାଇଛି ।  ତେବେ ବଜ୍ରକାପ୍ତା ଚାଲାଣ ରାକେଟରେ ଆହୁରି ୨୦ ଜଣ ସଂପୃକ୍ତ ଥିବା ଜଣାପଡ଼ିଛି। ସେମାନଙ୍କୁ ଧରିବା ପାଇଁ  ଅଭିଯାନ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବଜ୍ରକାପ୍ତା ଚୋରା ଚାଲାଣରେ ସଂପୃକ୍ତ ୧୦ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ବନ ବିଭାଗ ଏବଂ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ମାରାଥନ ଜେରା କରିବାପରେ ମିଳିଥିବା ଚାଞ୍ଚଲ୍ୟକର ତଥ୍ୟକୁ ଭିତ୍ତିକରି ମୁଖ୍ୟଅଭିଯୁକ୍ତ ମାଧବ ଚନ୍ଦ୍ରଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ବଜ୍ରକାପ୍ତା ଚାଲାଣ ରାକେଟ୍ ସଂପର୍କରେ ଖୋଳତାଡ଼ ପାଇଁ କିଛି ଦିନ ହେଲା ଡବ୍ଲୁସିସିବି ଟିମ୍ ଆଠଗଡ଼ରେ ଡେରା ପକାଇଥିଲା । ଆଠଗଡ଼ ବନଖଣ୍ଡର ଖୁଂଟୁଣୀ ରେଞ୍ଜର ଆଡାଳ ନର୍ସରୀଠାରେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ଓ ବନ୍ୟଜୀବ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଜବଲପୁର ଶାଖା ଗୁଇନ୍ଦା ଅଧିକାରୀ ଦେବେନ୍ଦ୍ର ସିଂ ରାଠୋରଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଜେରା କରିଥିଲେ। ଜେରା ସମୟରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଥିବା ଶ୍ୱଶୁର-ଜ୍ୱାଇଁଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଯାହା ଦ୍ୱାରା ମୁଖ୍ୟଅଭିଯୁକ୍ତକୁ ଗିରଫ କରିବା ସମ୍ଭବ ହୋଇଛି।

ଉଲ୍ଲେଖଯୋଗ୍ୟ କି ଅନ୍‌ଲାଇନର ବିଭିନ୍ନ ବ୍ୟବସାୟ ଭଳି ମୋବାଇଲରେ କୋଡିଂ ବ୍ୟବସ୍ଥା ମାଧ୍ୟମରେ ବିଦେଶକୁ ବଜ୍ରକାପ୍ତା, ବଜ୍ରକାପ୍ତା କାତି ଓ ମାଂସ ଚାଲାଣ କରୁଛି ବଜ୍ରକାପ୍ତା ଚାଲାଣ ରାକେଟ। ବଜ୍ରକାପ୍ତା କାତିରୁ ବିଭିନ୍ନ ରୋଗର ଔଷଧ, ବୁଲେଟ୍‌ ପ୍ରୁଫ୍‌ ଜାକେଟ୍ ତିଆରି ହେଉଥିବା ବେଳେ ଚୀନ, ମିଆଁମାର, ଭିଏତ୍‌ନାମକୁ ଏହା ଚାଲାଣ ହେଉଛି।