କପିଳାସରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଜାଳିଲେ ଦୀପ

ଢ଼େଙ୍କାନାଳ: ଗତକାଲି କପିଳାସରେ ମହାଶିବରାତ୍ରି ପାଇଁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କୁ ଦର୍ଶନ କରିବା ସହ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଦୀପ ଜାଳିଥିବା ଜଣାପଡିଛି ।

ଏଥିପାଇଁ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୀଠରେ ଭକ୍ତମାନଙ୍କର ଧାଡ଼ି ଲମ୍ବିଥିଲା। ମନ୍ଦିର ବେଢ଼ାଠାରୁ ଆରମ୍ଭ କରି ବିଭିନ୍ନ ପାହାଚ, ମନ୍ଦିର ରାସ୍ତାକଡ଼ ଆଦିରେ ସନ୍ଧ୍ୟାରୁ ମାଳମାଳ ଦୀପ ଜଳି ଉଠିଥିଲା। ସମୟ ନିଘଂଟ
ଅନୁସାରେ ଆଜି ପ୍ରଭୁ ଶ୍ରୀ ଚନ୍ଦ୍ରଶେଖରଜିଉଙ୍କ ଷୋଡ଼ଶ ଉପଚାର ପୂଜା ପାରମ୍ପରିକ ରୀତିରେ ସମ୍ପନ୍ନ ହୋଇଥିଲା। ପ୍ରତ୍ୟୁଷରୁ ଠାକୁରଙ୍କ ମଙ୍ଗଳ ଆଳତି ପରେ ସୂର୍ଯ୍ୟପୂଜା,ବଲ୍ଲଭ ଭୋଗ, ସକାଳ ଧୂପ ଲାଗି କରାଯାଇଥିଲା। ମଧ୍ୟାହ୍ନରେ ଅନ୍ନପ୍ରସାଦ ଲାଗି ହେବା ପରେ ଅପରାହ୍ଣରେ ଖେଚୁଡ଼ି, ଅନ୍ନପୁଳି, ଦିପହର ଧୂପ କରାଯାଇଥିଲା। ସନ୍ଧ୍ୟାରେ ଆଳତି ପରେ ଆରମ୍ଭ ହୋଇଥିଲା ଷୋଡ଼ଶ ଉପଚାର ପୂଜାର୍ଚ୍ଚନା। ମନ୍ଦିରର ପୂଜାପଣ୍ଡା, ରାଜପୁରୋଧା, ପୀଠ ପୁରୋଧ‌ା ମିଶି ଷୋଡ଼ଶ ପୂଜା କରିଥିଲେ। ମାଘ ସ୍ନାନନୀତି ସେବାୟତମାନଙ୍କ ଦ୍ବାରା ସଂପନ୍ନ ହୋଇଥିଲା। ପରେ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କ ନାଗାଭରଣ ବେଶ କରାଯାଇଥିଲା। ଏହି ଅବସରରେ ଶ୍ରୀଜିଉଙ୍କଠାରେ ସୁନାର ଛଡ଼ି, ପଦ୍ମମାଳ ଓ ନାଗ ଲାଗି କରାଯାଇଥିଲା। ସେହିପରି ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷଣ କରାଯାଇ ମା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ କରାଯାଇଥିଲା।