ମହାରାଷ୍ଟ୍ର:ମହାରାଷ୍ଟ୍ରରେ ସାଇବାବା ଜନ୍ମଭୂମିକୁ ନେଇ ଆରମ୍ଭ ହୋଇଛି ବିବାଦ । ମରାଠାୱାଡାସ୍ଥିତ ପାଥରୀର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ୧୦୦ କୋଟି ଘୋଷଣା କରିଛନ୍ତି । ଏହାସହିତ ପାଥରୀକୁ ସାଇଙ୍କ ଜନ୍ମଭୂମି ଘୋଷଣା ମଧ୍ୟ କରିଛନ୍ତି । ତେବେ ଏହାକୁ ନେଇ ବିଜେନି ସାଂସଦ ସୁଜୟ ଭିଖେ ପାଟିଲ ଆଇନଗତ ଲଢ଼େଇ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ବିବାଦକୁ ନେଇ ଆସନ୍ତାକାଲି ଅର୍ଥାତ୍ ୧୯ରେ ଶିରିଡି ବନ୍ଦ କରାଯିବ ବୋଲି ଆହ୍ୱାନ ଦିଆଯାଇଛି ।
ଅହମଦନଗର ଲୋକସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ପାଟିଲ ପ୍ରଶ୍ନ ଉଠାଇଛନ୍ତି ଯେ, ସାଇବାବାଙ୍କ ଜନ୍ମଭୂମିକୁ ନେଇ ଦାବି ସେହି ସମୟରେ କାହିଁକି ଆସିଲା, ଯେତେବେଳେ ରାଜ୍ୟରେ ନୂତନ ସରକାର ଗଠନ ହୋଇଛି । ସେ କହିଛନ୍ତି, ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଆଜି ପର୍ଯ୍ୟନ୍ତ କୌଣସି ମତଭେଦ ନ ଥିଲା । ଅଚାନକ ପାଥରୀକୁ ନେଇ ଏଭଳି ଦାବି କେଉଁଠାରୁ ସାମ୍ନାକୁ ଆସିଛି । ଯଦି ରାଜନୈତିକ ହସ୍ତକ୍ଷେପ ଜାରି ରହିବ, ତାହେଲେ ଶିରିଡିର ଲୋକେ ଏହି ପ୍ରସଙ୍ଗକୁ ନେଇ ‘ଆଇନଗତ ଲଢ଼େଇ’ ଆରମ୍ଭ କରିପାରିବେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଚୌହାନ ଉଦ୍ଧବ ସରକାରଙ୍କ ନିଷ୍ପତିକୁ ବଂଚାଇବାକୁ ଉଦ୍ୟମ କରିଛନ୍ତି । ସେ କହିଛନ୍ତି, ପାଥରୀରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଜନ୍ମଭୂମି ବିବାଦର କାରଣ ନ ହେବା ଦରକାର । ଅହମଦନଗରର ଶିରଡୀରେ ପ୍ରତି ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଛନ୍ତି ।
ଏନସିପି ନେତା ଦୁରାନୀ ଅବଦୁଲ୍ଲା କହିଛନ୍ତି, ଏହି କଥାକୁ ପ୍ରମାଣିତ କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରମାଣ ଅଛି ଯେ, ସାଇବାବାଙ୍କ ଜନ୍ମ ପାଥରୀରେ ହୋଇଥିଲା । ଶିରିଡି ଥିଲା ସାଇବାବାଙ୍କ କର୍ମଭୂମି । ତେଣୁ ଉଭୟ ସ୍ଥାନ ଗୁରୁତ୍ୱପୂର୍ଣ୍ଣ । ପାଥରୀକୁ ପର୍ଯ୍ୟଟକ ଆସୁଛନ୍ତି କିନ୍ତୁ ଏଠାରେ ସେମାନଙ୍କ ପାଇଁ ସୁବିଧା ନାହିଁ । ଶିରଡୀର ଲୋକଙ୍କ ପାଇଁ ପାଣ୍ଠି ସମସ୍ୟା ନାହିଁ । ସେମାନେ ଚାହାନ୍ତି ନାହିଁ ଯେ, ପାଥରୀକୁ ସାଇବାବାଙ୍କ ଜନ୍ମଭୂମି କୁହାଯାଉ । କାରଣ ଏହା ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା କମ ହୋଇଯିବ । ସୂଚନାଯୋଗ୍ୟ ଶିରଡୀ ଠାରୁ ପାଥରୀ ୨୭୫ କିଲୋମିଟର ଦୂର ।