ଆଜି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ଉଦ୍ଧବ ସରକାର

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବହୁମତ ପ୍ରମାଣିତ କରିବେ । ବିଧାନସଭାର ନୂଆ ବାଚସ୍ପତି, ବିରୋଧୀ ଦଳର ନେତାଙ୍କ ଘୋଷଣା ଓ ରାଜ୍ୟପାଳଙ୍କ ଅଭିଭାଷଣ ପାଇଁ ବିଧାନସଭାର ୨ ଦିନର ସ୍ୱତନ୍ତ୍ର ବୈଠକ ଡକାଯାଇଛି । ଆଜି ଅପରାହ୍ନ ୨ଟାରେ ଉଦ୍ଧବ ସରକାର ବହୁମତ ପ୍ରମାଣିତ କରିବେ ।

କୁହାଯାଉଛି ଯେ ସରକାର ସହଜରେ ବହୁମତ ପ୍ରଦର୍ଶନ କରି ପାରିବେ । କାରଣ ଶିବସେନା ପାଖରେ ୫୬, ଏନସିପି ପାଖରେ ୫୪ ଓ କଂଗ୍ରେସ ପାଖରେ ୪୪ ଜଣ ବିଧାୟକ ଅଛନ୍ତି । ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ହେଲେ ମ୍ୟାଜିକ ନମ୍ବର ୧୪୫ । ତେଣୁ ମ୍ୟାଜିକ ନମ୍ବର ତୁଳନାରେ ମହା ବିକାଶ ଅଘାଡି ପାଖରେ ଅଧିକ ଅଛନ୍ତି । ସରକାର ବହୁମତ ପ୍ରମାଣିତ କରିବା ପରେ ରବିବାର ବିଧାନସଭାର ବାଚସ୍ପତି ପାଇଁ ମତଦାନ ଓ ବିରୋଧୀ ପକ୍ଷ ନେତା ଘୋଷଣା ହେବ ।

ମହାରାଷ୍ଟ୍ର ବିଧାନସଭାର ଅସ୍ଥାୟୀ (ପ୍ରେଟେମ) ବାଚସ୍ପତି କାଳିଦାସ କୋଲମ୍ବକରଙ୍କ ସ୍ଥାନରେ ଏନସିପି ବିଧାୟକ ଦିଲୀପ ୱଲସେ ପାଟିଲଙ୍କୁ ବାଚସ୍ପତି ପଦରେ ନିଯୁକ୍ତ କରାଯାଇଛି । ପାଟିଲଙ୍କ ଅଭିଭାବକତ୍ୱରେ ଠାକରେ ସରକାର ନିଜର ବହୁମତ ପ୍ରମାଣିତ କରିବେ । ଶପଥ ଗ୍ରହଣ ପୂର୍ବରୁ ମେଣ୍ଟ ସରକାର ନିଜ ପାଖରେ ୧୬୨ ଜଣ ବିଧାୟକ ଅଛନ୍ତି ବୋଲି ଦାବି କରିଛନ୍ତି । ଉଦ୍ଧବ ଠାକରେଙ୍କୁ ରାଜ୍ୟପାଳ ଡିସେମ୍ବର ୩ ଯାଏଁ ବହୁମତ ପ୍ରଦର୍ଶନ କରିବାକୁ ସମୟ ଦେଇଥିଲେ । ମାତ୍ର ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୀଘ୍ର ନିଜର ବହୁମତ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି ।