ପାରୋଲ ଶେଷ ହେବା ପୂର୍ବରୁ ଗାଏବ୍ ହେଲେ ମୁମ୍ବାଇ ଆକ୍ରମଣର ଦୋଷୀ

ମୁମ୍ବାଇ: ୧୯୯୩ର ମୁମ୍ବାଇ ଆକ୍ରମଣର ଦୋଷୀ ଜଲିସ୍ ଅନସାରୀ ପାରୋଲ ଶେଷ ହେବା ପୂର୍ବରୁ ଗାଏବ ହୋଇଯାଇଛନ୍ତି । ଜଣେ ପୋଲିସ ଅଧିକାରୀ କହିଛନ୍ତି, ଅନସାରୀ ଏଠାକାର ଅଗ୍ରୀପଡା ଥାନା ଅନ୍ତର୍ଗତ ମୋମିନପୁର ନିବାସୀ ଥିଲା ଏବଂ ସେ ଆଜୀବନ କଏଦୀ ଜୀବନଯାପନ କରୁଥିଲା । ସେ ଦେଶର ବିଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣ ଓ ଆକ୍ରମଣର ସଦିଗ୍ଧ ଥିଲା ।

ପୋଲିସ ଅଧିକାରୀ କହିଛନ୍ତି,  ଅନସାରୀକୁ ରାଜସ୍ଥାନସ୍ଥିତ ଆଜମେର କେନ୍ଦ୍ରୀୟ କାରାଗାରରୁ ୨୧ ଦିନ ପାଇଁ ପାରୋଲରେ ଛଡ଼ାଯାଇଥିଲା ଏବଂ ଶୁକ୍ରବାର ତାକୁ ଜେଲ ପ୍ରଶାସନ ସମ୍ମୁଖରେ ଆତ୍ମସମର୍ପଣ କରିବାର ଥିଲା । ଅଧିକାରୀ କହିଛନ୍ତି ଯେ, ପାରୋଲ ସମୟରେ ଅନସାରୀଙ୍କୁ ପ୍ରତିଦିନ ପୂର୍ବାହ୍ନ ସାଢ଼େ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଅଗ୍ରୀପଡ଼ା ଥାନାରେ ଉପସ୍ଥିତ ହେବାକୁ କୁହାଯାଇଥିଲା । କିନ୍ତୁ ଗୁରୁବାର ସେ ନିର୍ଦ୍ଧାରିତ ସମୟରେ ପହଂଚି ନ ଥିଲା ।

ଅଧିକାରୀଙ୍କ ଅନୁସାରେ ଅପରାହ୍ନରେ ଅନସାରୀଙ୍କ ୩୫ ବର୍ଷିଅ ପୁଅ ଜୈଦ ଅନସାରୀ ପୋଲିସ ଥାନା ପହଂଚି ପିତା ନିଖୋଜ ହେବାର ଏତଲା ଦାୟର କରିଥିଲେ । ଅଭିଯୋଗ ଅନୁସାରେ ଜଲିସ ଅନସାରୀ ଭୋର ସକାଳୁ ଉଠିଥିଲେ ଓ ନମାଜ ପାଠ ପାଇଁ କହି ଘରୁ ବାହାରି ଯାଇଥିଲେ । ପୁଅର ଅଭିଯୋଗ କ୍ରମେ ପୋଲିସ ଏକ ନିଖୋଜ ମାମଲା ରୁଜୁ କରିଛି । ମୁମ୍ବାଇ ପୋଲିସର ଅପରାଧ ଶାଖା ଏବଂ ମହାରାଷ୍ଟ୍ର ଆତଙ୍କବାଦୀ ନିରୋଧକ ଶାଖା ଅନସାରୀକୁ ଧରିବା ପାଇଁ ଅଭିଯାନ ଆରମ୍ଭ କରି ଦେଇଛି ।