ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ କ୍ୟାବିନେଟର ସୁପାରିଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସୁପାରିଶ କରିଛି କେନ୍ଦ୍ର କ୍ୟାବିନେଟ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କ୍ୟାବିନେଟ୍ ବୈଠକ ବସିଥିଲା। ଏହି ବୈଠକରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ମହାରାଷ୍ଟ୍ରରେ ବିଧାନସଭା ନିର୍ବଚନ ଶେଷ ହେବାର ୧୮ ଦିନ ପରେ ବି ସରକାର ଗଢ଼ିବା ନେଇ ଚିତ୍ର ଅସ୍ପଷ୍ଟ ରହିଛି। ବିଜେପି ଓ ଶିବସେନା ସରକାର ଗଢ଼ିପାରିନଥିବା ବେଳେ ଏବେ ଏନସିପିକୁ ସରକାର ଗଢ଼ିବା ପାଇଁ ରାଜ୍ୟପାଳ ଭଗତ ସିଂହ କୋଶିଆରିଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ଏନସିପି ମଧ୍ୟ ସରକାର ଗଢ଼ିବା ସ୍ଥିତିରେ ନାହିଁ ବୋଲି ଜଣାପଡ଼ିଛି। ଏହାପରେ ରାଜ୍ୟପାଳ କେନ୍ଦ୍ରକୁ ମହାରାଷ୍ଟ୍ରର ରାଜନୀତିକ ସ୍ଥିତି ବାବଦରେ ଅବଗତ କରାଇଥିଲେ। ଶେଷରେ ଆଜି କେନ୍ଦ୍ର କ୍ୟାବିନେଟ୍ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଛି। ଏହାପରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ବ୍ରାଜିଲ ଗସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ବିଜେପି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବ ନାହିଁ ବୋଲି ସ୍ଥିର କରିଥିଲା। ଏହାପରେ ଶିବସେନାକୁ ଆମନ୍ତ୍ରଣ କରିଥିଲେ ରାଜ୍ୟପାଳ। ହେଲେ ସରକାର ଗଢ଼ିବା ପାଇଁ ଶିବସେନା ନିର୍ଦ୍ଧାରିତ ସମୟ ପରେ ଆହୁରି ୪୮ ଘଣ୍ଟା ସମୟ ମାଗିଥିଲା। ଏହାପରେ ରାଜ୍ୟପାଳ ଶିବସେନାର ପ୍ରସ୍ତାବକୁ ଖାରଜ କରି ଏନସିପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିଥିଲେ।