ମୁମ୍ବାଇ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଶନିବାର ବର୍ଷାରେ ନଷ୍ଟ ହୋଇଥିବା ଫସଲର କ୍ଷୟକ୍ଷତି ଖୁବ ଶୀଘ୍ର ଆର୍ଥିକ ସହାୟତା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେ ଜରୁରୀକାଳୀନ ଭାବେ ଏହାକୁ ବିତରଣ କରିବା ପାଇଁ ଆଦେଶ ଦେଇଛନ୍ତି । ଜଣେ ଅଧିକାରୀ ନିଜର ବୟାନରେ କହିଛନ୍ତି, ଚାଷୀଙ୍କୁ ଖରିଫ ପସଲ ପାଇଁ ୨ ହେକ୍ଟର ପର୍ଯ୍ୟନ୍ତ ସହାୟତା ମିଳିବ । ଚାଷୀମାନେ ହେକ୍ଟର ପିଛା ୮ ହଜାର ଟଙ୍କା ପାଇବେ । ସେହିଭଳି ଉଦ୍ୟାନ ଫସଲ ଉଜୁଡିଯାଇଥିଲେ ୨ ହେକ୍ଟର ପାଇଁ ସହାୟତା ମିଳିବ । ଏଥି ପାଇଁ ହେକ୍ଟର ପିଛା୧୮ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ମିଳିବ ।
ବୟାନ ଅନୁସାରେ ରାଜ୍ୟପାଳ ପ୍ରଭାବିତ ଚାଷୀଙ୍କ ପାଠପଢ଼ା ପିଲାଙ୍କ ଫି ଛାଡ଼ କରିଛନ୍ତି । ମହାରାଷ୍ଟ୍ରରେ ଅକ୍ଟୋବର ୨୧ରେ ହୋଇଥିବା ତ୍ରିକୋଣୀୟ ବିଧାନସଭା ନିର୍ବାଚନ ଯୋଗୁଁ କୌଣସି ଦଳ ସରକାର ଗଢ଼ିପାରି ନାହିଁ । ଏହା ପରେ ନଭେମ୍ବର ୧୨ରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଇଛି । ରାଜ୍ୟପାଳ ଅକ୍ଟୋବର ଓ ନଭେମ୍ବରରେ ରାଜ୍ୟର ବିଭିନ୍ନ ଅଂଚଳରେ ହୋଇଥିବା ବର୍ଷା ନେଇ ସମୀକ୍ଷା କରିଛନ୍ତି । ଏଥି ସହିତ କୁହାଯାଇଛି ଯେ, ରାଜ୍ୟପାଳ ପ୍ରଭାବିତ ଚାଷୀଙ୍କ ଭୂ-ରାଜସ୍ୱ ଛାଡ଼ କରିବା ସହିତ ସ୍କଲ ଓ କଲେଜ ପିଲାଙ୍କର ପରୀକ୍ଷା ଫି ଛାଡ କରିଛନ୍ତି ।
ଏହା ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ରେ ଫଡନବିସ ନଭେମ୍ବର ୨ରେ ପ୍ରଭାବିତ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଭାବେ ୧୦ ହଜାର କୋଟି ଟଙ୍କା ମଂଜୁରୀ କରିଥିଲେ । ଏନସିପି ଓ କଂଗ୍ରେସ ଏହି ରାଶି କମ ଦର୍ଶାଇ ୨୫ ହଜାର କୋଟି ଟଙ୍କା ଦାବି କରିଥିଲା । ଏହାରି ମଧ୍ୟରେ କଂଗ୍ରେସ ନେତା ଅଶୋକ ଚୌହାନ ଶନିବାର କହିଛନ୍ତି, ରାଜ୍ୟପାଳ ଦ୍ୱାରା ଘୋଷଣା ହୋଇଥିବା ରାଶି ଅପର୍ଯ୍ୟାପ୍ତ ନୁହେଁ । ଚୌହ୍ୱାନ କହିଛନ୍ତି, ପ୍ରଶାସନ ଏହି ସହାୟତା ରାଶି ଚାଷୀଙ୍କ ଖାତାରେ ଶୀଘ୍ର ଜମା କରିବା ଦରକାର ।