ମହାରାଷ୍ଟ୍ରରେ ପୁଣି ଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ପୁଣି ଥରେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ରାଜ୍ୟରେ କରୋନା ସଂକ୍ରମଣର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକ୍‌ଡାଉନ୍‌ ମିଆଦ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଏବେ ଜୁଲାଇ ୩୧ ଯାଏ ଲକ୍‌ଡାଉନ୍‌ ବଢାଇବାକୁ ଘୋଷଣା କରାଯାଇଛି। ଏହା ପୂର୍ବରୁ ଜୁନ୍ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ମିଆଦ ବୃଦ୍ଧି କରାଯାଇଥିଲା। ଉଲ୍ଲେଖନୀୟ, ଦେଶରେ କରୋନା ସଂକ୍ରମିତ ମାମଲାରେ ମହାରାଷ୍ଟ୍ର ଶୀର୍ଷରେ ରହିଛି।

ରାଜ୍ୟର ମୁଖ୍ୟ ସଚିବ ଲକ୍‌ଡାଉନ୍ ବଢାଇବା ନେଇ ଆଦେଶନାମା ଜାରି କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣର ବିପଦ କ୍ରମାଗତ ବଢିବାରେ ଲାଗିଛି। ଏଥିପାଇଁ ସଂକ୍ରମଣକୁ ରୋକିବା ପାଇଁ ଜରୁରୀ ଉପାୟ ଆଧାରରେ ଲକ୍‌ଡାଉନ୍‌ ପରି ପଦକ୍ଷେପ ଉଠାଯାଇଛି। ମହାମାରୀ ଆକ୍ଟ ୧୮୯୭ର ଧାରା-୨ ଏବଂ ବିପର୍ଯ୍ୟୟ ପ୍ରବନ୍ଧନ ଆଇନ ୨୦୦୫ ଆଧାରରେ ପୂରା ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ବଢାଯାଇଛି।

ଲକ୍‌ଡାଉନ୍‌ ସମୟରେ ଏ ପର୍ଯ୍ୟନ୍ତ ଯେପରି ଜରୁରୀ ସାମଗ୍ରୀ ଦୋକାନ ଖୋଲା ରହିଛି, ତାହା ସେଭଳି ଖୋଲା ରହିବ। ସେହି ପରି ଯୁଗ୍ମ ଅଯୁଗ୍ମ ଦିନରେ ଦୋକାନ ଖୋଲିବାକୁ ଅନୁମତି ମିଳିପାରେ। ଏହା ସହିତ ଦପ୍ତରରେ ସୀମିତ ସଂଖ୍ୟାରେ କର୍ମଚାରୀ ଉପସ୍ଥିତ ରହିବେ। ଏପରିକି ଅନାବଶ୍ୟକ ଗତିବିଧି ଉପରେ ମଧ୍ୟ ରୋକ୍‌ ଲଗାଯାଇପାରେ।

ମୁଖ୍ୟ ସଚିବଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି ଯେ, ସ୍ଥାନୀୟ ପରିସ୍ଥିତି ଅନୁଯାୟୀ ସମ୍ବନ୍ଧିତ ଜିଲ୍ଲାପାଳ, ନଗରପାଳିକା କମିଶନର ଜରୁରୀ ପ୍ରତିବନ୍ଧକ ଲାଗୁ କରି ପାରିବେ। ଏହି ଆଧାରରେ ଲୋକଙ୍କ ଯିବା ଆସିବା ଏବଂ ଅଣ ଜରୁରୀ ଗତିବିଧି ଉପରେ ପ୍ରତିବନ୍ଧକ ଲଗା ଯାଇପାରେ।

ମହରାଷ୍ଟ୍ରରେ କରୋନା ସଂକ୍ରମଣ ବାଡ ବନ୍ଧ ଆଉ ମାନୁ ନାହିଁ। ରବିବାର ରାଜ୍ୟରେ ରେକର୍ଡ ୫,୪୯୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। ରାଜ୍ୟରେ ମୋଟ୍ ସଂକ୍ରମିତ ସଂଖ୍ୟା ବୃଦ୍ଧି ଘଟି ୧,୬୪,୬୨୬ରେ ପହଞ୍ଚିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ ୧୫୬ ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିସହ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୪୨୯ରେ ପହଞ୍ଚିଛି। ୮୬,୫୭୫ ରୋଗୀ ଆରୋଗ୍ୟଲାଭ କରିଥିବା ବେଳେ ସକ୍ରିୟ ବା ଆକ୍ଟିଭ୍ କେସ୍ ସଂଖ୍ୟା ୭୦,୬୦୭ ରହିଛି।