ନେତା ନିର୍ବାଚିତ ହେଲେ ଫଡନାଭିସ, ଶିବସେନାକୁ ରାଜି କରାଇବେ ବୋଲି କହିଲେ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କ୍ଷମତାଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଏହି ଛକାପଞ୍ଝା ମଧ୍ୟରେ ଆଜି ନବ ନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକ ବସିଥିଲେ। ସର୍ବସମ୍ମତିକ୍ରମେ ଦେବେନ୍ଦ୍ର ଫଡନାଭିସ୍‌ ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ହେଲେ ଏକାକୀ ସରକାର ଗଠନ କରିବାକୁ ବିଜେପି ପାଖରେ ମ୍ୟାଜିକ ନମ୍ବର ନ ଥିବାରୁ ଦଳ ସହଯୋଗୀ ଖୋଜିବା ଆରମ୍ଭ କରିଛି।

ଏହିକ୍ରମରେ ବିଜେପି ସହ ୬ ଜଣ ବିଧାୟକ ମିଶି ବିଜେପି ସପକ୍ଷରେ ୧୧୧ ଆସନ କରି ଦେଇଛନ୍ତି। ତଥାପି ଦଳ ମ୍ୟାଜିକ ନମ୍ବର ୧୪୫ ଠାରୁ ଦୂରରେ ରହିଛି। ନିର୍ବାଚନ ପରେ ବିଜେପି ଓ ଶିବସେନା ଏକାଠି ସରକାର ଗଠନ କରିବେ ବୋଲି ଯୋଜନା କରିଥିଲେ।

ହେଲେ ଉଭୟଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଟଣା ଓଟାରା ଚାଲିଛି। ଶିବସେନା ନିର୍ବାଚନ ପୂର୍ବରୁ ହୋଇଥିବା ୫୦:୫୦ ଫର୍ମୁଲାକୁ ଲାଗୁ କରିବାକୁ କହୁଥିବା ବେଳେ ବିଜେପି ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ବୁଝାମଣା କରିବ ନାହିଁ ବୋଲି କହିଛି। ଫଳରେ ଦୁଇ ସହଯୋଗୀଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଆଜି ବିଜେପି ବିଧାୟକ ଦଳ ନେତା ହୋଇଥିବା ଦେବେନ୍ଦ୍ର ଫଡନାଭିସ୍‌ ବଡ଼ ବୟାନ ଦେଇଛନ୍ତି।

ତେବେ, ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ପୁତ୍ର ଆଦିତ୍ୟ ହେବେ ଫଡ୍‌ନାବିସ୍‌ଙ୍କ ମନ୍ତ୍ରିମଣ୍ଡଳରେ ଉପ-ମୁଖ୍ୟମନ୍ତ୍ରୀ। ସେହିପରି ଫଡ୍‌ନାବିସ୍‌ଙ୍କ ଗତ ମନ୍ତ୍ରିମଣ୍ଡଳରେ ଶିବସେନାର ୧୨ ଜଣ ମନ୍ତ୍ରୀ ରହିଥିବା ବେଳେ ନୂତନ ମନ୍ତ୍ରିମଣ୍ଡଳରେ ସେମାନଙ୍କ ସଂଖ୍ୟା ୧୪କୁ ବୃଦ୍ଧି ପାଇବ। ଏଥିସହ କେନ୍ଦ୍ରର ମୋଦୀ-୨ କ୍ୟାବିନେଟରେ ଶିବସେନାକୁ ଆଉ ଗୋଟିଏ ମନ୍ତ୍ରୀ ପଦ ମଧ୍ୟ ପ୍ରଦାନ କରାଯିବ।

ସରକାର ଗଠନ ପାଇଁ ଏହି ସମାଧାନର ସୂତ୍ରରେ ଶିବସେନା ରାଜି ହେବା ପରେ ମହାରାଷ୍ଟ୍ରର ନବ ନିର୍ବାଚିତ ବିଜେପି ବିଧାୟକ ଦଳର ବୈଠକ ବସି ଦେବେନ୍ଦ୍ର ଫଡ୍‌ନାବିସ୍‌ଙ୍କୁ ବିଜେପି ବିଧାୟକ ଦଳର ନୂତନ ନେତା ରୂ‌େପ ନିର୍ବାଚିତ କରାଯାଇଛି। ମହାରାଷ୍ଟ୍ରରେ ନୂତନ ସରକାର ଗଠନ ପାଇଁ ନବ ନିର୍ବାଚିତ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ୍‌ନାବିସ୍‌ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇବେ ବୋଲି ଜାଣିବାକୁ ମିଳିଛି।