ରାମ ମନ୍ଦିର ଟ୍ରଷ୍ଟ ଗଠନ ପୂର୍ବରୁ ବଢ଼ିଲା ମହନ୍ତଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ରାମ ମନ୍ଦିର ଟ୍ରଷ୍ଟ ଗଠନ ପୂର୍ବରୁ ରାମଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷାକୁ ବୃଦ୍ଧି କଲେ ସରକାର । ମହନ୍ତ ନୃତ୍ୟଗୋପାଳ ଦାସଙ୍କୁ ଏଣିକି ଜେଡ ପ୍ଲସ ସିକ୍ୟୁରିଟି ଦ୍ୱାରା ସୁରକ୍ଷା ପ୍ରଦାନ କରାଯିବ ବୋଲି ନିଷ୍ପତି ନେଇଛନ୍ତି ସରକାର । ମହନ୍ତ ନୃତ୍ୟଗୋପାଳ ଦାସଙ୍କ ସୁରକ୍ଷା ବୃଦ୍ଧି ହେବା ପରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିର ପାଇଁ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କୁ ଚୟନ କରାଯାଇପାରେ ବୋଲି ସମ୍ଭାବନା ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଦାୟିତ୍ଵ ରାମ ଜନ୍ମଭୂମି ନ୍ୟାସକୁ ଦିଆଯିବ ବୋଲି ଆଲୋଚନା ଚାଲିଛି । ମୁଖ୍ୟ ମନ୍ଦିର ନ୍ୟାସ ଦ୍ଵାରା ପ୍ରସ୍ତାବିତ ନକ୍ସା ଅନୁସାରେ ନିର୍ମାଣ ହେବ । ନ୍ୟାସ ପାଖରେ ଥିବା ସାମଗ୍ରୀକୁ ବ୍ୟବହାର କରି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ମନ୍ଦିର ନିର୍ମାଣ ଟ୍ରଷ୍ଟରେ ନ୍ୟାସର ମୁଖ୍ୟ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ଭୂମିକା ନିର୍ଦ୍ଧିଷ୍ଟ କରିବାକୁ କେନ୍ଦ୍ର ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି । ତେବେ ଗୃହ ମନ୍ତ୍ରାଳୟ କିଛି ଦିନ ତଳେ ଅଯୋଧ୍ୟା ମାମଲାରେ ଏକ ବିଶେଷ ଡେସ୍କ ଗଠନ କରିଥିଲା।

ସୂଚନାନୁଯାୟୀ, ଟ୍ରଷ୍ଟ ନିର୍ମାଣ ପାଇଁ ପୂର୍ବରୁ ହୋଇଥିବା ଅନେକ ବୈଠକରେ କିଛି ପ୍ରସଙ୍ଗରେ ସହମତି ହୋଇଛି । ଦେଖିବାକୁ ଗଲେ ରାମ ମନ୍ଦିରର ନିର୍ମାଣ ଦାୟିତ୍ଵ ସମ୍ପୂର୍ଣ୍ଣ ଭାବରେ ମହନ୍ତ ନୃତ୍ୟ ଗୋପାଳ ଦାସ ଏବଂ ରାମ ଜନ୍ମଭୂମି ନ୍ୟାସଙ୍କୁ ଦିଆଯିବ। ନିର୍ମାଣ ଟ୍ରଷ୍ଟରେ ଆହୁରି କିଛି ନେତୃବୃନ୍ଦଙ୍କୁ ଦାୟିତ୍ଵ ଦିଆଯିବ ବୋଲି ଆଲୋଚନା ଚାଲିଛି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କିଛି ପ୍ରତିନିଧି ମଧ୍ୟ ମନ୍ଦିର ନିର୍ମାଣ ଦାୟିତ୍ଵରେ ସାମିଲ ହେବେ। ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଛନ୍ତି ଯେ, ଟ୍ରଷ୍ଟରେ ବିଜେପିର କୌଣସି ନେତାଙ୍କୁ ସାମିଲ କରାଯିବ ନାହିଁ।